ହୃଦଘାତରେ ଟି.ସି ବାଲାଜୀଙ୍କ ଦେହାନ୍ତ
ତାମିଲ ଅଭିନେତା ଟି.ସି ବାଲାଜୀ ଓରଫ ଡାନିଏଲ୍ ବାଲାଜୀଙ୍କର ଶୁକ୍ରବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କର ହଠାତ୍ ହୃଦଘାତ ହେବା ପରେ ତାଙ୍କୁ ଚେନ୍ନାଇର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା।
ଡାନିଏଲ ବାଲାଜୀଙ୍କ ମୃତ୍ୟୁ ଖବର ପାଇବା ପରେ ତାଙ୍କ ବନ୍ଧୁବାନ୍ଧବ, ସାଙ୍ଗସାଥୀ, ଫ୍ୟାନ୍ ଓ ତାମିଲ ଚଳଚ୍ଚିତ୍ର ଜଗତ ସହିତ ଜଡ଼ିତ ପ୍ରତ୍ୟେକ ଲୋକ ସ୍ତବ୍ଧ ହୋଇଯାଇଛନ୍ତି। ବାଲାଜୀଙ୍କ ଦେହାନ୍ତ ଖବର ଦେଇ ଫିଲ୍ମ ଆନାଲିଷ୍ଟ ଶ୍ରୀଧର ପିଲ୍ଲାଇ ତାଙ୍କ ଏକ୍ସରେ ଏକ ପୋଷ୍ଟ କରିଛନ୍ତି। ଯେଉଁଥିରେ ଲେଖାଯାଇଛି "ଜଣେ ଭଲ ଅଭିନେତା ଭାବେ ଜଣାଶୁଣା ଡାନିଏଲ ବାଲାଜୀ (୪୮)ଙ୍କର ହୃଦ୍ଘାତ ହେବାରୁ ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କର ଦେହାନ୍ତ ହୋଇଥିଲା। ତାଙ୍କ କାମକୁ କିଏ ଅବା ଭୁଲି ପାରିବ। " ଶ୍ରୀଧରଙ୍କ ଏହି ପୋଷ୍ଟ ପରେ ଡାନିଏଲଙ୍କ ପ୍ରଶଂସକ ଓ ମଲୟାଲମ ଇଣ୍ଡଷ୍ଟ୍ରିର କଳାକାରମାନେ ଶୋକପ୍ରକାଶ କରିଥିବା ଜଣାପଡ଼ିଛି।
ଫିଲ୍ମରେ ନେଗେଟିଭ୍ ଚରିତ୍ରରେ ଅଭିନୟ କରୁଥିଲେ ଡାନିଏଲ ବାଲାଜୀ। ତାମିଲ ଫିଲ୍ମ 'ବେଟ୍ଟୈୟାଡୁ ବିଲୈୟାଡୁ'ରେ ତାଙ୍କର ଅଭିନୟକୁ ସମସ୍ତ ପ୍ରଶଂସା କରିଛନ୍ତି। କମଲ ହାସଲଙ୍କ ଅସମାପ୍ତ ଡିମ୍ ପ୍ରୋଜେକ୍ଟ 'ମରୁଧନାୟଗମ'ରେ ଜଣେ ୟୁନିଟ ପ୍ରଡକ୍ସନ ମ୍ୟାନେଜରରୁ କ୍ୟାରିୟର ଆରମ୍ଭ କରିଥିଲେ ଡାନିଏଲ। ପରବର୍ତ୍ତୀ ସମୟରେ ସେ ୨୦୦୦ ମସିହାରେ ତାମିଲର ଏକ ହିଟ୍ ଟେଲିଭିଜନ ଧାରାବାହିକ 'ସିତ୍ତି'ରେ ଅଭିନୟ କରିଥିଲେ। ଏଥିରେ ସେ ଡାନିଏଲ ଚରିତ୍ରରେ ଅଭିନୟ କରିଥିଲେ। ଆଉ ତା' ପରେ ସେ ଡାନିଏଲ ବାଲାଜୀ ନାଁରେ ପରିଚିତ ହୋଇଥିଲେ।
Powered by Froala Editor