ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ରଖିଲେ ଏହି ପ୍ରତିକ୍ରିୟା
ଭୁବନେଶ୍ୱର:ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ ଆଣିଥିବା ଅଭିଯୋଗ ଉପରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ନିଜ ପ୍ରତିକ୍ରିୟା ରଖିଛନ୍ତି ।
ସେ କହିଛନ୍ତି ଯେ ଦାମୋଦର ରାଉତଙ୍କୁ ସିପିଆର ଦେଲା ଭଳି ଅବସ୍ଥା ନଥିଲା । କାଜୁଆଲଟିରେ ପହଞ୍ଚିବା ପରେ ତୁରନ୍ତ ତାଙ୍କର ଚିିକିତ୍ସା କରାଯାଇଥିଲା । ତାଙ୍କର ଅକ୍ସିଜେନ ସାଚୁରେସନ କମିଯାଇଥିଲା । କିଡନୀ ଠିକନଥିଲା । ଡାକ୍ତର ତୁରନ୍ତ ଦେଖିଥିଲେ । ଇସିଜି ହୋଇଥିଲା । ଅକ୍ସିଜେନ ଦିଆଯାଇଥିଲା । ଯେହେତୁ ଏଠାରେ ଆମର କିଡନୀ ଡାକ୍ତର ନାହାନ୍ତି ତେଣୁ ତାଙ୍କୁ ତୁରନ୍ତ ରେଫର କରାଯାଇଥିଲା । ପ୍ରାଥମିକ ଚିକିତ୍ସା ସାରି ୩୦ ମିନିଟ ଭିତରେ ତାଙ୍କୁ ରେଫର କରାଯାଇଥିଲା ।ତାଙ୍କୁ ସିପିଆର ଦେବା ଭଳି ଅବସ୍ଥା ନଥିଲା । ତେଣୁ ତାଙ୍କୁ ଦିଆଯାଇନଥିଲା । ମୋତେ ସମ୍ବିତ ରାଉତରାୟ ଅଭିଯୋଗ କରିଥିଲେ । ତେଣୁ ମୁଁ ତାହାର ଫୁଙ୍ଖାନୁପୁଙ୍ଖ ତଦନ୍ତ କରିଛି ।
ପ୍ରକାଶ ଯେ କ୍ୟାପିଟାଲ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ବିରୋଧରେ ବଡ଼ ଅଭିଯୋଗ ଆଣିଛନ୍ତି ବରିଷ୍ଠ ବିଜେଡି ନେତା ଦାମୋଦର ରାଉତଙ୍କ ପୁଅ ତଥା ବିଧାୟକ ସମ୍ବିତ ରାଉତରାୟ । ନିଜ ବାପାଙ୍କ ଅବସ୍ଥା ସଂକଟାପନ୍ନ ଦେଇ ସମ୍ବିତ କ୍ୟାପିଟାଲ ହସ୍ପିଟାଲକୁ ଦାୟୀ କରିଛନ୍ତି । କ୍ୟାପିଟାଲ ହସ୍ପିଟାଲ ପାଇଁ ବାପାଙ୍କ ଏଭଳି ଅବସ୍ଥା ହେଲା ବୋଲି ସେ ଅଭିଯୋଗ କରିଛନ୍ତି ।
ତାଙ୍କ କହିବା ଅନୁଯାୟୀ ଗତ ୧୮ ତାରିଖ ରାତିରେ ବାପାଙ୍କୁ ହାର୍ଟଆଟାକ ହୋଇଥିଲା । ଆମେ ତୁରନ୍ତ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲୁ । ରାତି ୩ଟାରେ ତାଙ୍କୁ ନେଇ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚିଥିଲୁ । ତେବେ ସେଠାରେ ବାରମ୍ବାର କହିବା ସତ୍ତ୍ୱେ ସେଠାରେ କେହି ସିପିଆର ଦେଲେନି । ବାଧ୍ୟ ହୋଇ ସେଠାରୁ ବାପାଙ୍କୁ ଏକ ଘରୋଇ ହସ୍ପିଟାଲକୁ ଆଣିଲୁ । ସେହି ଯିବା ଆସିବା ଭିତରେ କିଛି ସମୟ ଡେରି ହୋଇଗଲା । ଡେରି ହେବାରୁ ବ୍ରେନକୁ ଅକ୍ସିଜେନ ଓ ବ୍ଲଡ ଠିକଭାବେ ଗଲାନି । ଘରୋଇ ହସ୍ପିଟାଲରେ ସିପିଆର ଦେଲା ପରେ ହାର୍ଟ କାମ କରୁଛି । କିନ୍ତୁ ବ୍ରେନ ବହୁତ ଖରାପ ହୋଇଯାଇଛି ।
ପ୍ରକାଶ ଯେ ହୃଦଘାତ ପରେ ବ୍ରେନ ଡେଡ୍ରେ ଗୁରୁତର ହେବା କାରଣରୁୁ ଗୁରୁତର ଅବସ୍ଥାରେ ତାଙ୍କୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦାମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ଥିବା ନେଇ ସୂଚନା ମିଳିଛି । ନିକଟରେ ସୁସ୍ଥ ହୋଇ ଘରକୁ ଫେରିଥିବା ଦାମୋଦରଙ୍କୁ ଗତ ୧୮ ତାରିଖରେ ହୃଦଘାତ ହୋଇଥିଲା । ତେବେ ଏହା ପରେ ଦାମୋଦରଙ୍କର ବ୍ରେନ ଡେଡ ହୋଇଥିବା ଜଣାପଡିଛି । ଗତ ବର୍ଷ ଡିସେମ୍ବର ମାସରେ ବୟସାଧିକ କାରଣରୁ ଦାମୋଦରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇଥିଲା । ତାଙ୍କର କିଡନୀ ଜନିତ ସମସ୍ୟା ମଧ୍ୟ ଥିଲା । ତେବେ ସେ ଡାକ୍ତରଙ୍କ ସହ ଯୋଗାଯୋଗରେ ରହିଥିବା ବେଳେ ଘରକୁ ଫେରିଥିଲେ । କିନ୍ତୁ ତାଙ୍କର ଡାଇଲୋସିସ ଚାଲୁଥିଲା । ତେବେ ବର୍ତ୍ତମାନ ବ୍ରେଡ ଡେଡ୍ରେ ପୀଡିତ ହୋଇ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
Powered by Froala Editor