ମେଣ୍ଢାଶାଳ ପୋଲିସ ଆଉଟ ପୋଷ୍ଟକୁ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନଭାବେ ଉନ୍ନୀତ କରିବାକୁ ନବୀନଙ୍କ ନିଷ୍ପତ୍ତି, ନିୟୋଜିତ ହେବେ ୪୧ ଅଧିକାରୀ ଓ କର୍ମଚାରୀ
ଭୁବନେଶ୍ବର: ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ମଧ୍ୟରେ ମେଣ୍ଢାଶାଳ ଅଞ୍ଚଳ ଏକ କ୍ରମବର୍ଦ୍ଧିଷ୍ଣୁ ଶିଳ୍ପାଞ୍ଚଳ ଭାବେ ଗଢିଉଠୁଛି । ସେହି ଅଞ୍ଚଳରେ IIIT, NALCO R&D Centre, Birla Global University, GIET ପରି ଅନେକ ଜାତୀୟ ସ୍ତରର ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ରହିଛି । ଏହାସହିତ ବଢୁଥିବା ଲୋକସଂଖ୍ୟା ଓ ଆବାସିକ କଲୋନୀକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେଣ୍ଢାଶାଳରେ ଥିବା ପୋଲିସ ଆଉଟ ପୋଷ୍ଟକୁ ଏକ ଶିଳ୍ପାଞ୍ଚଳ ପୋଲିସ ଷ୍ଟେସନଭାବେ ଉନ୍ନୀତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।
ଏହି ନୂତନ ପୋଲିସ ଷ୍ଟେସନଟି ୧୫୦ ବର୍ଗ କିଲୋମିଟର ପରିମିତ ଏବଂ ଏକ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଅଞ୍ଚଳରେ ୪ଟି ଗ୍ରାମ ପଞ୍ଚାୟତ ଏବଂ BMCର ଗୋଟିଏ ୱାର୍ଡକୁ ଆଂଶିକ ଭାବେ ନେଇ କାର୍ୟ୍ୟ କରିବ।
ଏଥିପାଇଁ ୩୪ଟି ନୂଆ ପଦବୀ ସୃଷ୍ଟି କରାଯିବ। ପୂର୍ବରୁ ଏହି ଆଉଟ ପୋଷ୍ଟରେ ୫ ଜଣ କର୍ମଚାରୀ ଅଛନ୍ତି ଏବଂ ୨ଟି ପଦବୀ ଏସ୍.ପି ପୋଲିସ ମୋଟର ଟ୍ରେନିଂ ସଂସ୍ଥାରୁ ନିୟୋଜିତ କରାଯିବ। ଏହିପରି ଏହି ଥାନାରେ ସମୁଦାୟ ୪୧ ଜଣ ଅଧିକାରୀ ଓ କର୍ମଚାରୀ ରହିବେ ।
ଏହି ୩୪ଟି ନୂତନ ପଦବୀ ଗୁଡିକ ହେଉଛି – ଗୋଟିଏ ଇନ୍ସପେକ୍ଟର, ୪ଟି ସବ୍ଇନ୍ସିପେକ୍ଟର, ୬ଟି ଏ.ଏସ୍.ଆଇ, ୨ଟି ହାବିଲଦାର ଓ ୨୧ଟି କନେଷ୍ଟବଳ । ପୂର୍ବରୁ ଥିବା ୫ଟି ପଦବୀ ହେଉଛି – ଗୋଟିଏ ସବ୍ଇନ୍ସପେକ୍ଟର ଓ ୪ଟି କନେଷ୍ଟବଳ ।
Powered by Froala Editor