ପିଏମ ସ୍ବନିଧି ଯୋଜନା: ଏକ ଲକ୍ଷ ଉଠାଦୋକାନୀଙ୍କୁ ଋଣ ପ୍ରଦାନ କରିବେ ମୋଦି

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଜେଏଲଏନ ଷ୍ଟାଡିୟମରେ ପିଏମ ସ୍ବନିଧି ଯୋଜନାର ହିତାଧିକାରୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶର ଏକ ଲକ୍ଷ ଉଠାଦୋକାନୀଙ୍କୁ ଋଣ ପ୍ରଦାନ କରିବେ ମୋଦି । ଏଥିରେ ଦିଲ୍ଲୀର ୫ ହଜାର ହିତାଧିକାରୀ ସାମିଲ ରହିଛନ୍ତି । ଏହି କାର୍ୟ୍ୟକ୍ରମ ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ମେଟ୍ରୋର ଫେଜ ୪ର ଦୁଇଟି ଅତିରିକ୍ତ କରିଡରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ ।
ମହାମାରୀ କୋରୋନା ସମୟରେ ଦେଶରେ ଲକଡାଉନ ଘୋଷଣା ହୋଇଥିଲା । ଏହି ସମୟରେ ଲକ୍ଷ ଲକ୍ଷ ଉଠାଦୋକାନୀ ରୋଜଗାର ହରାଇଥିଲେ । ଏହି ରାସ୍ତାକଡ଼ ବ୍ୟବସାୟୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ ପିଏମ ସ୍ବନିଧି ଯୋଜନାର ଶୁଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ମହାମାରୀ ସମୟରେ ବିଶ୍ବ ଅର୍ଥନୀତି ସଙ୍କଟ ମଧ୍ୟରେ ଥିବାବେଳେ ୨୦୨୦ ଜୁନ ୧ରେ ସ୍ବନିଧି ଯୋଜନାର ଶୁଭାରମ୍ଭ ହୋଇଥିଲା । ଯାହା ଏବେ ରାସ୍ତାକଡର ଉଠା ଦୋକାନୀଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୬୨ ଲକ୍ଷରୁ ଅଧିକ ରାସ୍ତାକଡ଼ ଦୋକାନୀଙ୍କୁ ୧୦ ହଜାର କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଋଣ ପ୍ରଦାନ କରାଯାଇଛି । ଦିଲ୍ଲୀରେ ୨ ଲକ୍ଷ ହିତାଧିକାରୀଙ୍କୁ ୨୩୨ କୋଟି ଟଙ୍କା ଋଣ ଦିଆଯାଇଛି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଛୋଟ ଦୋକାନୀଙ୍କୁ ବ୍ୟବସାୟ ପାଇଁ ସ୍ବଳ୍ପ ଋଣ ଦେଇ ସେମାନଙ୍କୁ ଆତ୍ମନିର୍ଭର କରିବା ଏହି ଯୋଜନାର ମୂଳ ଲକ୍ଷ୍ୟ ।
Powered by Froala Editor