କନକ ବର୍ଦ୍ଧନ ସିଂହଦେଓଙ୍କ ମନ୍ତବ୍ୟକୁ ନେଇ ବଢିଲା ଚର୍ଚ୍ଚା, ଜାଣନ୍ତୁ କଣ କହିଲେ ?
ଭୁବନେଶ୍ୱର: ବିଜେପି ଏବଂ ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନି। ଉଭୟ ଦଳ ନିଜ ଆଭିମୁଖ୍ୟ ସ୍ପଷ୍ଟ କରୁନାହାନ୍ତି। ଏସବୁ ଭିତରେ ପୁଣି ବଢିଲା ମେଣ୍ଟ ଚର୍ଚ୍ଚା । ବରିଷ୍ଠ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ମନ୍ତବ୍ୟକୁ ନେଇ ଚର୍ଚ୍ଚା ବଢିଲା । ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ଭିତରେ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି, ଦିଲ୍ଲୀ ଉପରେ ସମସ୍ତଙ୍କ ନଜର ରହିଛି । ସେ ମଧ୍ୟ ଦିଲ୍ଲୀ ଉପରେ ନଜର ରଖିଛନ୍ତି । ଯେପର୍ୟ୍ୟନ୍ତ ଦିଲ୍ଲୀରୁ କୌଣସି ସୂଚନା ଆସିନାହିଁ, ସେ ସଂପର୍କରେ କିଛି କହିବା ଠିକ୍ ହେବ ନାହିଁ । ବିଜେପି ଏକ ଜାତୀୟ ଦଳ, ତେଣୁ ପ୍ରାର୍ଥୀ ତାଲିକା ହେଉ ବା ଅନ୍ୟ ଯାହା ବି ହେଉ, ସଂସଦୀୟ ବୋର୍ଡ ନିଷ୍ପତ୍ତି ନେବ । ବିଜେଡି ଏକ ଆଞ୍ଚଳିକ ଦଳ, ତାଙ୍କର ଓଡ଼ିଶାରେ ନିଷ୍ପତ୍ତିି ହେବ । ମେଣ୍ଟକୁ ନେଇ କର୍ମୀଙ୍କ ମନରେ କୌଣସି ଦ୍ୱନ୍ଦ୍ୱ ରହିବା ଉଚିତ୍ ନୁହଁ । ଦଳର ସ୍ୱାର୍ଥ ଦୃଷ୍ଟିରୁ ଦିଲ୍ଲୀରୁ ଡାକରା ପାଇ ରାଜ୍ୟ ନେତୃତ୍ବ ଦିଲ୍ଲୀ ଯାଇଥିବା ରାଜ୍ୟ ସଭାପତି ସ୍ପଷ୍ଟ କରିଥିବା କହିଛନ୍ତି କନକ ବର୍ଦ୍ଧନ । ତେଣୁ ତାଙ୍କ ଫେରିବାକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ।ଏହା ସହ କନକ ବର୍ଦ୍ଧନ କହିଛନ୍ତି, ସେମାନେ ହେଉଛନ୍ତି ଶୃଙ୍ଖଳିତ କାର୍ୟ୍ୟକର୍ତ୍ତା ବା ସୈନ୍ୟ । ଦେଶର ହିତ ପାଇଁ ଯାହା ନିଷ୍ପତ୍ତି ହୁଏ, ସୈନ୍ୟ ଗ୍ରହଣ କରେ ।
ପ୍ରକାଶ ଯେ ଓଡ଼ିଶାରେ ବିଜେଡି-ବିଜେପି ମଧ୍ୟରେ ନିର୍ବାଚନୀ ମେଣ୍ଟ ପାଇଁ ଦୁଇ ଦଳର ଶୀର୍ଷ ନେତୃତ୍ୱଙ୍କ ମଧ୍ୟରେ ଆଲୋଚନା ଚାଲିଛି। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଭଲ ହେବ, ବିଜେଡି ତାହା କରିବ ବୋଲି କହି ଶାସକ ଦଳ ଏହି ପ୍ରସଙ୍ଗକୁ ଆଗେଇ ନେଉଛି। ମେଣ୍ଟ କଥାକୁ ବିଜେଡିର କୌଣସି ନେତା ଆଉ ଅସ୍ବୀକାର ମଧ୍ୟ କରୁନାହାନ୍ତି। ହେଲେ ମେଣ୍ଟର ଚୂଡ଼ାନ୍ତ ରୂପରେଖ ପ୍ରସ୍ତୁତି ଉପରେ ସମସ୍ତଙ୍କ ନଜର ରହିଛି। କେତେ ଆସନରେ ଦୁଇ ଦଳ ମଧ୍ୟରେ ଭାଗ ଛିଣ୍ଡିବ ତା’ ଉପରେ ସଭିଙ୍କ ନଜର ରହିଛି। ହେଲେ ମେଣ୍ଟ କଥା ଏକପ୍ରକାର ସର୍ବସାଧାରଣକୁ ଆସି ସାରିଥିବା ସତ୍ତ୍ୱେ ବିଜେପିର କେତେଜଣ ଆଗଧାଡ଼ିର ନେତା ଆଗାମୀ ନିର୍ବାଚନରେ ୧୪୭ ବିଧାନସଭା ଏବଂ ୨୧ ଲୋକ ସଭା ଆସନରେ ଦଳ ଲଢ଼ିବ ବୋଲି ଯୁକ୍ତି ରଖୁଛନ୍ତି। ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଏବଂ ସହ ପ୍ରଭାରୀ ଲତା ଉସେଣ୍ଡି ମେଣ୍ଟ ନେଇ କୌଣସି ଆଲୋଚନା ହୋଇ ନ ଥିବା କଥା କହିଛନ୍ତି। ହେଲେ ସେମାନେ ମେଣ୍ଟ ନ ହେବା କଥା କେଉଁଠାରେ ବି କହିନାହାନ୍ତି।
Powered by Froala Editor