ନିର୍ବାଚନୀ ବଣ୍ଡ ମାମଲାର ଆଜି ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ସବିଶେଷ ତଥ୍ୟ ଦେବାକୁ ଏସ୍ବିଆଇକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମାର୍ଚ୍ଚ ୬ ତାରିଖ ସୁଦ୍ଧା ତଥ୍ୟ ଦାଖଲ କରିବା ପାଇଁ କୋର୍ଟ କହିଥିବାବେଳେ ଏହି ସମୟ ସୀମାକୁ ଜୁନ ୩୦କୁ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିଥିଲା ଷ୍ଟେଟବ୍ୟାଙ୍କ । ଯାହାର ଆଜି ଶୁଣାଣି କରିବେ କୋର୍ଟ । ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଠିତ ୫ ଜଣିଆ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଅନ୍ୟପଟେ ନିର୍ବାଚନୀ ବଣ୍ଡ ସମ୍ବନ୍ଧୀୟ ତଥ୍ୟ ଦେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଏସବିଆଇ ଅବମାନନା କରିଥିବା ଅଭିଯୋଗ ଆଣିଥିଲା ଆସୋସିଏସନ ଫର ଡେମୋକ୍ରାଟିକ୍ ରିଫର୍ମସ୍ । ଏନେଇ କୋର୍ଟରେ ଏକ ଆବେଦନ ହୋଇଥିବାବେଳେ ଆଜି ଏହା ଉପରେ ମଧ୍ୟ ଶୁଣାଣି ହେବ ।
ନିର୍ବାଚନୀ ବଣ୍ଡ ଯୋଜନାକୁ ସର୍ବୋଚ୍ଚ କୋର୍ଟ ନିକଟରେ ଅବୈଧ ଘୋଷଣା କରିଥିଲେ । ଏହା ସୂଚନା ଅଧିକାର ଅଧିନିୟମର ବିରୋଧୀ ବୋଲି କୋର୍ଟ କହିବା ସହ କାର୍ୟ୍ୟକାରିତା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଇଥିଲେ । ଏହି ଯୋଜନା ଅଧୀନରେ କେତେ ବଣ୍ଡ ବିକ୍ରି ହୋଇଛି ଓ କେଉଁ ରାଜନୈତିକ ଦଳକୁ କେତେ ପରିମାଣର ଦାନ ମିଳିଛି, ସେ ସମ୍ପର୍କରେ ମାର୍ଚ୍ଚ ୬ ତାରିଖ ମଧ୍ୟରେ ତଥ୍ୟ ଦେବାକୁ କୋର୍ଟ ଭାରତୀୟ ଟେଷ୍ଟବ୍ୟାଙ୍କକୁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଏହି ତଥ୍ୟ ଦାଖଲ କରିବା ପାଇଁ କୋର୍ଟଙ୍କୁ ଅଧିକ ସମୟ ମାଗିଥିଲା ଷ୍ଟେଟ ବ୍ୟାଙ୍କ । ସବିଶେଷ ଦାଖଲ ସମୟ ସୀମା ମାର୍ଚ୍ଚ ୬ ପରିବର୍ତ୍ତେ ଜୁନ ୩୦କୁ ବୃଦ୍ଧି କରିବା ପାଇଁ ମାର୍ଚ୍ଚ ୪ ତାରିଖରେ ସୁପ୍ରିମକୋର୍ଟରେ ଷ୍ଟେଟବ୍ୟାଙ୍କ ଆବେଦନ କରିଥିଲା ।
ଆବେଦନରେ ଏସ୍ବିଆଇ କହିଥିଲା ଯେ, ଏପ୍ରିଲ ୧୨, ୨୦୧୯ରୁ ଫେବୃଆରୀ ୧୫, ୨୦୨୪ ମଧ୍ୟରେ ବିଭିନ୍ନ ଦଳକୁ ଡୋନେସନ ଦେବା ପାଇଁ ୨୨,୨୧୭ ନିର୍ବାଚନୀ ବଣ୍ଡ ଜାରି କରାଯାଇଥିଲା । ଏହି ବଣ୍ଡଗୁଡିକ ମୁମ୍ବାଇର ମୁଖ୍ୟ ଶାଖାରେ, ଦେଶବ୍ୟାପୀ ପ୍ରାଧିକୃତ ଶାଖାଗୁଡିକ ଦ୍ୱାରା ମୁଦା ଲଫାପା ମାଧ୍ୟମରେ ଜମା କରାଯାଇଥିଲା । ଦୁଇଟି ଭିନ୍ନ ପ୍ରକାରର ସୂଚନା ଥିବାରୁ ମୋଟ ୪୪,୪୩୪ ସୂଚନା ସେଟକୁ ଡିକୋଡ ମାଧ୍ୟମରେ ସଂକଳନ ଓ ତର୍ଜମା କରିବାକୁ ପଡିବ । ତେଣୁ ଏହି ପ୍ରକ୍ରିୟା ପାଇଁ ଅଧିକ ସମୟ ଲାଗିବ । ଏଥିପାଇଁ ପୂର୍ବରୁ ମିଳିଥିବା ସମୟକୁ ଜୁନ ୩୦ ତାରିଖ ପର୍ୟ୍ୟନ୍ତ ବୃଦ୍ଧି କରାଯାଉ ।
Powered by Froala Editor