କନଷ୍ଟେବଲଙ୍କୁ ଚାପୁଡ଼ା ମାରିଲେ ବିଧାୟିକା, କାହିଁକି ଓ କେଉଁଠି ପଢ଼ନ୍ତୁ...

ରାଜସ୍ଥାନ: ଲକଡାଉନ୍ରେ ମନଇଚ୍ଛା ବୁଲୁଥିଲେ । ବାଇକ୍ ଧରି ରାସ୍ତାରେ ଚକ୍କର କାଟୁଥିଲେ । ଏପରିକି ହେଲମେଟ୍ ମଧ୍ୟ ପିନ୍ଧି ନଥିଲେ । ପୁଲିସ୍ ଚେକିଂ କରିବା ସହିତ ଚାଲାଣ କାଟିବାରୁ ରାଗି ଗଲେ । ଏଣୁତେଣୁ ଗପିଲେ । ଆଉ ଖୁଡ଼ି ବିଧାୟକ ଥିବାରୁ ରାଜନୀତି ପାଠ ପଢ଼ାଇଲେ । ହେଲେ ପୁଲିସ୍ କିଛି ଶୁଣିଲାନି । ଏଭଳି ଯୁକ୍ତତର୍କ ଭିତରେ ପହଞ୍ଚିଲେ ବିଧାୟିକା ଖୁଡ଼ି । ରାଗ ତମତମ ହୋଇ ପୁଲିସ୍ କନଷ୍ଟେବଲଙ୍କୁ ଗାଲି ଗୁଲଜ କଲେ । ଏପରିକି ଚାପୁଡ଼ା ବି ମାରିବାକୁ ପଛାଇଲେ ନାହିଁ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜସ୍ଥାନର ବାଂଶୱାଡା ଜିଲ୍ଲାର କୁଶଲଗଡରେ ।
ଚାପୁଡ଼ା ମାରିଥିବା ବିଧାୟିକାଙ୍କ ନାମ ରାମିଲା ଖରିଆ । ସେ ସ୍ଥାନୀୟ ଲୋକ ପ୍ରତିନିଧି । ଏନେଇ ହେଡ୍ କନଷ୍ଟେବଲ ମହେନ୍ଦ୍ର ନାଥ କହିଛନ୍ତି, ବାଇକ୍ ଚଳାଉଥିବା ସୁନିଲ ଖରିଆଙ୍କୁ ନାକାବନ୍ଦୀ ଥିବା ଅଞ୍ଚଳରେ ପୁଲିସ ଅଟକାଇ ଥିଲା । ଏତିକିବେଳେ ରାଗି ଯାଇଥିଲେ ସୁନିଲ । କନଷ୍ଟେବଲଙ୍କ କଲର ଧରି ଚାକିରିରୁ ବାହାର କରିବାର ଧମକ ଦେଇଥିଲେ । ଏସବୁ ପରେ ମହେନ୍ଦ୍ର ସୁନିଲ ନାଁରେ ଚାଲାଣ କାଟିଥିଲେ । ଆଉ ବିଧାୟିକାଙ୍କ ଏ ସଂପର୍କରେ ଅବଗତ କରାଇଥିଲେ । ହେଲେ ବିଧାୟିକା ପୁତୁରାର ଦୋଷ ଦୁର୍ବଳତାକୁ ଲୁଚାଇବା ସହ ଓଲଟା କନଷ୍ଟେବଲଙ୍କୁ ଚାପୁଡା ମାରିଥିଲେ ।
ଅପରପକ୍ଷରେ ଏନେଇ କନଷ୍ଟେବଲ ମହେନ୍ଦ୍ର ଥାନା ଅଧିକାରୀଙ୍କୁ ଜଣାଇଥିଲେ । ହେଲେ ଥାନା ଅଧିକାରୀ ବିଧାୟିକାଙ୍କୁ ଭୁଲ ମାଗିବାକୁ ପରାମର୍ଶ ଦେଇଥିଲେ । ତେବେ ଏମିତି କରିବାକୁ କନଷ୍ଟେବଲ ମନା କରିଦେଇଥିଲେ । ଏହାକୁ ଅନ୍ୟ ପୁଲିସ୍ ଅଧିକାରୀମାନେ ସମର୍ଥନ ଜଣାଇଥିଲେ । ଶେଷରେ ବିଧାୟିକା ଓ ତାଙ୍କ ପୁତୁରା ନାମରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି ।
Powered by Froala Editor