ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କୁ ରାତି ତମାମ ଜେରା

ଭୁବନେଶ୍ବର: ଦିନ ସାରା ଜେରା , ରାତି ତମାମ ଜେରା। ୧୮ ଘଣ୍ଟାରୁ ଅଧିକ ସମୟ ଧରି ଗୁଡାଇ ତୁଡାଇ ପ୍ରଶ୍ନ। ଭଣ୍ଡାରୀପୋଖରୀର ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ରାତି ସାରା ଜେରା କରିଛି ଇଡି। ୧୮ ଘଣ୍ଟାର ଜେରା ପରେ ଭୋର୍ ସାଢେ ୪ଟାରେ ଇଡି କାର୍ଯ୍ୟାଳୟରୁ ବାହାରିଲେ ପ୍ରୟାସକାନ୍ତି। ବରପଦା ଇଂଜିନିୟରିଂ କଲେଜର ଜମି ଦୁର୍ନୀତି ମାମଲାରେ ବାପା ପ୍ରଫୁଲ୍ଲ ସାମଲଙ୍କ ପରେ ମଙ୍ଗଳବାର ପୁଅ ପ୍ରୟାସକାନ୍ତି ସାମଲଙ୍କୁ ଦିନ ପ୍ରାୟ ୧୦ଟାରୁ ଇଡି ମାରାଥନ୍ ଜେରା କରିଥିଲା। ଏଭଳି ଦୀର୍ଘ ସମୟର ଜେରାର ସମ୍ମୁଖୀନ ହୋଇ ଇଡି କାର୍ଯ୍ୟାଳୟରୁ ବାହାରିବା ପରେ ଗଣମାଧ୍ୟମକୁ ପ୍ରୟାସକାନ୍ତି କହିଛନ୍ତି ଯେ ମୋତେ କିଛି ପଚାରିନାହାନ୍ତି , ପୁଣି ଆପଣ ମାନଙ୍କ ସହ ଦେଖାହେବ। ସୂଚନା ଅନୁସାରେ ଜବତ ହୋଇଥିବା ମୋବାଇଲ୍ ରେ ଜମି ଦୁର୍ନୀତିର ଗୁମର ଥିବା ସୁରାକ୍ ପାଇଛି ଇଡି। ସେଥିରେ ଡିଲିଟ୍ ହୋଇଥିବା ତଥ୍ୟ ହାସଲ କରିବାକୁ ସାଇବର ଏକ୍ସପଟ୍ ଟିମ୍ ଉଦ୍ୟମ କରୁଛି। ଇଡି ର ୩ଟି ଟିମ୍ ପ୍ରୟାସକାନ୍ତିଙ୍କୁ ଜେରା କରିଥିବା କୁହାଯାଉଛି। କିଛି ଦିନ ତଳେ ପ୍ରଫୁଲ୍ଲ ସାମଲଙ୍କୁ ୮ ଘଣ୍ଟା ଧରି ଇଡି ଜେରା କରିଥିଲା।
Powered by Froala Editor