ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ଦେହାନ୍ତ
ବିଶିଷ୍ଟ ଗଜଲ ଗାୟକ ପଙ୍କଜ ଉଧାସଙ୍କ ପରଲୋକ ହୋଇଛି। ୭୨ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ଦୀର୍ଘଦିନର ଅସୁସ୍ଥତା ପରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ। ଗତ କେତେ ଦିନ ହେଲା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିବାରୁ ତାଙ୍କୁ ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।
ତାଙ୍କ ଝିଅ ନାୟବ ଉଧାସ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇଛନ୍ତି। ପରିବାର ପକ୍ଷରୁ ଦିଆଯାଇଥିବା ବୟାନରେ ଲେଖାଯାଇଛି – ଦୀର୍ଘ ଦିନ ଧରି ଅସୁସ୍ଥତା ହେତୁ ୨୬ ଫେବୃଆରୀ ୨୦୨୪ ରେ ପଦ୍ମଶ୍ରୀ ପଙ୍କଜ ଉଧାସଙ୍କ ଦୁଃଖଦ ମୃତ୍ୟୁ ବିଷୟରେ ଆପଣଙ୍କୁ ଜଣାଇବା ହେତୁ ଆମେ ଦୁଃଖିତ। ସେ କେଉଁ ରୋଗରେ ପୀଡିତ ଥିଲେ ସେ ସୂଚନା ଏପର୍ଯ୍ୟନ୍ତ ଜଣାପଡିନାହିଁ।
ଗଜଲ ଜଗତରେ ପଙ୍କଜ ଉଧାସ ଏକ ବଡ ନାମ ଥିଲେ। ୧୯୮୦ରେ ତାଙ୍କର ପ୍ରଥମ ଆଲବମ୍ 'ଆହଟ୍' ରିଲିଜ ହୋଇଥିଲା। କେବଳ ସେତିକି ନୁହେଁ ବଲିଉଡ ଫିଲ୍ମରେ ମଧ୍ୟ ସେ ପ୍ଲେ-ବ୍ୟାକ୍ ସିଙ୍ଗର ଭାବେ 'ତୁ ହସିନ୍ ମେ ଯବାଁ' ଫିଲ୍ମରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମରେ ସେ କିଶୋର କୁମାର ସହ ଗୀତ ଗାଇଥିଲେ। ତେବେ 'ନାମ୍’ ଫିଲ୍ମର ‘ଚିଠି ଆଇ ହେ’ ଗୀତରୁ ତାଙ୍କୁ ମିଳିଥିଲା ଲୋକପ୍ରିୟତା।
ପଙ୍କଜ ଅନେକ ଗଜଲକୁ ସ୍ବର ଦେଇଥିଲେ ଯେଉଁଥିରେ ୟେ ଦିଲ୍ଲଗି, ଫିର ତେରୀ କାହାନି ୟାଦ ଆଇ, ଚଲେ ତୋ କଟ ହି ଜୟେଗା ଏବଂ ତେରେ ବିନ ସାମିଲ ଅଛି।୨୦୦୬ରେ ପଙ୍କଜଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରାଯାଇଥିଲା।
Powered by Froala Editor