ବିଦେଶୀ ଜାଣିବେ ‘ରେବତୀ’ କାହାଣୀ: ୩୬ ଭାଷାରେ ଅନୁବାଦ
ଆଧୁନିକ ଓଡ଼ିଆ ସାହିତ୍ୟର ପିତା ବ୍ୟାସକବି ଫକିର ମୋହନ ସେନାପତିଙ୍କ ଦ୍ୱାରା ୧୮୯୮ ମସିହାରେ ରଚିତ ପ୍ରଥମ ଓଡ଼ିଆ କ୍ଷୁଦ୍ର କାହାଣୀ ‘ରେବତୀ’ ବହୁତ ଜନପ୍ରିୟତା ଲାଭ କରିଥିଲା । ଏହି ଗଳ୍ପଟିରେ ଗୋଟିଏ ଛୋଟ ଝିଅ ରେବତୀର ପାଠ ପଢିବାର ପ୍ରବଳ ଉତ୍ସାହ ଓ ଏଥିରେ ତା'ର ଅନ୍ତରାୟ ସାଜୁଥିବା ପାରମ୍ପରିକ ଅନ୍ଧବିଶ୍ୱାସପୂର୍ଣ୍ଣ ଗ୍ରାମୀଣ ସମାଜର ଚିତ୍ରଣ କରାଯାଇଛି । ଲୋ ରେବ ... ଲୋ ନିଆଁ... ଲୋ ଚୁଲି’ ଏହି ସଂଳାପଟି ଆଜି ମଧ୍ୟ ପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ମୁଖରେ ଉଜ୍ଜୀବିତ ହୋଇ ରହିଛି । ପରେ ଯେବେ ଗାଁରେ ମହାମାରୀ ବ୍ୟାପିଛି ଏଥିପାଇଁ ତା'ର ଅଧ୍ୟୟନକୁ ଦାୟୀ କରାଯାଇଛି। ବ୍ୟାସକବି ଏହି ଗଳ୍ପରେ ନାରୀଶିକ୍ଷା ପାଇଁ ସମଗ୍ର ସମାଜକୁ ଆହ୍ୱାନ ମୂଳକ ବାର୍ତ୍ତା ଦେଇଛନ୍ତି ।
ସେହି କାହାଣୀ ବର୍ତ୍ତମାନ ୩୬ଟି ଭାରତୀୟ ଓ ବିଦେଶୀ ଭାଷାରେ ଅନୁବାଦ ହୋଇଛି । ଅନୁବାଦ ସରିଥିବା ଏକ ନୂଆ ବହିର ଶୀର୍ଷକ 'ରେବତୀ: ସ୍ପିକିଂ ଇନ୍ ଟଙ୍ଗସ୍' ହୋଇଥିଲା ବେଳେ ଏହା ଧଉଳି ବୁକ୍ସ ଦ୍ୱାରା ପ୍ରକାଶିତ ହୋଇଛି। ବିଦେଶୀ ଭାଷା ମଧ୍ୟରେ ଜର୍ମାନ, ଜାପାନିଜ୍, ରଷିଆ, ଫରାସୀ, ସ୍ପାନିଶ୍, ପୋଲାଣ୍ଡ, ହିବ୍ରୁ, ତୁର୍କୀ, ସିଙ୍ଘଲି, ବାଲୁଚି ଏବଂ ନେପାଳୀ ରହିଛି।
Powered by Froala Editor