ବଦଳିଲା କଟକ ଗଣିତ, ଅରିନ୍ଦମଙ୍କ ରାସ୍ତା ସଫା

ଭୁବନେଶ୍ୱର : କଡ଼ ଲେଉଟାଇଛି କଟକ ରାଜନୀତି । ବିଶେଷକରି ବାରବାଟୀ-କଟକ ରାଜନୀତିର ଚିତ୍ର ସ୍ପଷ୍ଟ ହେବାର ସମ୍ଭାବନା ରହିଛି । ଦେବାଶିଷ ସାମନ୍ତରାୟ ରାଜ୍ୟସଭାକୁ ଯିବେ ବୋଲି ବିଜେଡ଼ି ଚୂଡ଼ାନ୍ତ କରିସାରିଛି । ଫଳରେ କଟକ ବାରବାଟୀରୁ ଓଲିଉଡ଼ ଷ୍ଟାର ଅରିନ୍ଦମ ରାୟଙ୍କ ପ୍ରାର୍ଥୀତ୍ୱ ପାଇଁ ରାସ୍ତା ପରିଷ୍କାର ହୋଇଛି । ବିଜେଡ଼ି ଅଳିନ୍ଦରେ ଏବେ ଏଭଳି ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।
କଟକ ବାରବାଟୀରୁ ତିନି ଥର ନିର୍ବାଚନ ଲଢ଼ିଥିବା ଦେବାଶିଷ ଦୁଇଥର ବାଜିମାତ କରିଛନ୍ତି । ପୂର୍ବରୁ ସେ ତିର୍ତୋଲରୁ ବି ବିଧାୟକ ହୋଇଥିଲେ । ଗତ ନିର୍ବାଚନରେ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ଠାରୁ ହାରିଥିବା ଦେବାଶିଷ ୨୦୨୪ରେ ପୁଣି କଟକ ବାରବାଟୀରୁ ଲଢ଼ିବେ ବୋଲି କୁହାଯାଉଥିଲା । କିନ୍ତୁ ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇ କଟକ ବାରବାଟୀରୁ ଅରିନ୍ଦମଙ୍କ ପାଇଁ ବିଜେଡ଼ି ରାସ୍ତା ପରିଷ୍କାର କରିଛି । ଏଠାରୁ ଟିକେଟ ପାଇବା ପାଇଁ କଟକ ମେୟର ସୁବାସ ସିଂ ଓ ଓସିଏ ସମ୍ପାଦକ ସଂଜୟ ବେହେରା ମଧ୍ୟ ଆଶାୟୀ ଥିଲେ । ଯେଉଁଥିପାଇଁ ଦେବାଶିଷ ବନାମ ସୁବାସଙ୍କ ମଧ୍ୟରେ ଶୀତଳ ଯୁଦ୍ଧ ଦେଖିବାକୁ ମିଳିଥିଲା । ପ୍ରତ୍ୟକ୍ଷ ନିର୍ବାଚନରେ ସୁବାସ ମେୟର ହୋଇଛନ୍ତି । ଯଦି ସେ ବିଜେଡ଼ି ଟିକେଟ ପାଇ ବିଧାୟକ ହୁଅନ୍ତି ତେବେ ମେୟର ପଦବୀ ପାଇଁ ପୁଣିଥରେ ନିର୍ବାଚନ ହେବ । ଦଳ ଉପରେ ଅଯଥା ନିର୍ବାଚନୀ ବୋଝ ଲଦିବାକୁ ଦଳ ଚାହିଁବ ନାହିଁ । ସେହିପରି ସଂଜୟ ଆଶାୟୀ ଥିଲେବି ତାଙ୍କୁ ଚିଟଫଣ୍ଡ ଭୂତ ଗୋଡ଼ାଉଛି । ତାଙ୍କ ବାପା ଆଶୀର୍ବାଦ ବେହେରା ଚିଟଫଣ୍ଡ ଠକେଇରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ । ଗୋଟିଏ ପଟେ ଭର୍ତୃହରି ମହତାବଙ୍କ ଭଳି ହେଭିୱେଟ ନେତା ବିଜେପି ଯିବା ନିଶ୍ଚିତ ଥିବାରୁ ଦଳ ବିବାଦୀୟ ନେତାଙ୍କୁ ଟିକେଟ ଦେବାକୁ ଚାହିଁବ ନାହିଁ । ଏଭଳି କ୍ଷେତ୍ରରେ ଅରିନ୍ଦମ ରାୟଙ୍କୁ କଟକ ବାରବାଟୀ ଟିକେଟ ମିଳିବ ବୋଲି କୁହାଯାଉଛି ।
ସୂଚନାଯୋଗ୍ୟଯେ, ନିକଟରେ ଅରିନ୍ଦମଙ୍କୁ ନେଇ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଥିଲା । ୨୦୦୯ରୁ ବିଜେଡ଼ି ପାଇଁ ସେ କାମ କରି ଆସୁଥିଲେବି ତାଙ୍କୁ ଦଳ ଲଢ଼ିବାର ସୁଯୋଗ ଦେଇନାହିଁ । ଏମିତିକି ନିଗମର ଅଧ୍ୟକ୍ଷ ବି କରିନାହିଁ । ବିଜେଡ଼ିରେ ଥିବା ଓଲିଉଡ଼ ତାରକା ପ୍ରଶାନ୍ତ ନନ୍ଦ, ମୁନ୍ନା ଖାଁ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ଓ ଆକାଶ ଦାସ ନାୟକଙ୍କୁ ଦଳ ଟିକେଟ ଦେଇଛି । ଯେଉଁଥିପାଇଁ ସେହି ନେତାମାନେ ଲୋକସଭା, ରାଜ୍ୟସଭା ଅବା ବିଧାନସଭା ଯିବାରେ ସଫଳ ହୋଇଛନ୍ତି । ଅରିନ୍ଦମଙ୍କୁ ଦଳ ସୁଯୋଗ ଦେଇନଥିବାରୁ ତାଙ୍କର ସମର୍ଥକମାନେ ମଧ୍ୟ ପରୋକ୍ଷରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ତେଣୁ ୨୦୨୪ରେ ଅରିନ୍ଦମଙ୍କୁ ସୁଯୋଗ ଦେବାକୁ ଦଳ ଯୋଜନା କରୁଥିଲା । ଏବେ ଦେବାଶିଷଙ୍କୁ ରାଜ୍ୟସଭା ପଠାଇ ଅରିନ୍ଦମଙ୍କ ପାଇଁ ରାସ୍ତା ପରିଷ୍କାର କରାଯାଇଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
Powered by Froala Editor