ଲୋକସଭାରେ ପାସ୍ ହେଲା ପ୍ରଶ୍ନପତ୍ର ଲିକ୍ ବିରୋଧ ବିଲ୍
ନୂଆଦିଲ୍ଲୀ: ଲୋକସଭାରେ ପାସ୍ ହେଲା ପ୍ରଶ୍ନପତ୍ର ଲିକ୍ ବିରୋଧ ବିଲ୍। ଏହା ହେଉଛି ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ କରୁଥିବା ଦୋଷୀଙ୍କ ବିରୋଧରେ ଦଣ୍ଡବିଧାନ କରିବା ପାଇଁ ବିଧେୟକ। ଏହି ବିଲ୍କୁ ସରକାର ସୋମବାର ଗୃହରେ ଉପସ୍ଥାପିତ କରିଥିଲେ । ଏଥିରେ ସ୍କୁଲ ପରୀକ୍ଷାରୁ ଆରମ୍ଭ କରି କଲେଜ ଏବଂ ସରକାରୀ ଚାକିରି ପାଇଁ ହେଉଥିବା ପରୀକ୍ଷା ମଧ୍ୟ ସାମିଲ ରହିଛି। ଏହି ବିଲ୍ରେ ସରକାର ଦୋଷୀଙ୍କ ବିରୋଧରେ କଡ଼ା ନିୟମ ଆଣିଛନ୍ତି। ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷ ଜେଲ ଏବଂ ୧ କୋଟି ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡ଼ିପାରେ।
ଏବେ ଏହାକୁ ରାଜ୍ୟସଭାରେ ପାରିତ କରାଯିବ ଏବଂ ଏହା ପରେ ରାଷ୍ଟ୍ରପତିଙ୍କ ନିକଟକୁ ଅନୁମୋଦନ ପାଇଁ ପଠାଯିବ ଯାହା ପରେ ଏହା ଆଇନରେ ପରିଣତ ହୋଇଯିବ। ତେବେ ଏହି ବିଲ୍ ଆଇନରେ ପରିଣତ ହେଲେ ଏହା ସେହି ଆଶାୟୀଙ୍କ ପାଇଁ ଆଶ୍ବସ୍ତିକର ହେବ ଯେଉଁମାନେ ପରିଶ୍ରମ କରି ପରୀକ୍ଷା ଦେଉଛନ୍ତି। କାରଣ ଅନେକ ସମୟରେ ପେପର ଲିକ୍ କାରଣରୁ ଅନେକ ଆଶାୟୀଙ୍କ ମାନସିକ ସ୍ତରରେ ଖୁବ୍ ଆଘାତ ପାଉଛନ୍ତି।
ବିଲ୍ ଅନୁଯାୟୀ, ପରୀକ୍ଷା ପେପର ଲିକ୍ କରିବା କିମ୍ବା ଉତ୍ତର ପୁସ୍ତିକା ସହ ହେର ଫେର କରିବା ଧରାପଡ଼ିଲେ ଏବଂ ଦୋଷୀ ସାବ୍ୟସ୍ତ ହେଲେ ୧୦ ବର୍ଷର ଜେଲ ଏବଂ ୧ କୋଟିର ଜରିମାନା ଲାଗିବ। ଏହି ବିଲ୍ ଅନୁଯାୟୀ ଅପରାଧ ଜାମିନବିହୀନ ହେବ। ପୋଲିସ ନିଜ କ୍ଷମତାରେ କାର୍ୟ୍ୟାନୁଷ୍ଠାନ ନେଇପାରିବ ଏବଂ ବିନା ଓ୍ବାରେଣ୍ଟରେ ସନ୍ଦିଗ୍ଧଙ୍କୁ ଗିରଫ କରିପାରିବ। ଏହି ଅପରାଧକୁ ବୁଝାମଣା ସମାଧାନ କରିଯାଇପାରିବ ନାହିଁ।
Powered by Froala Editor