ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ
କଟକ : ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଜ୍ୟପାଳ ରଘୁବର ଦାସ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
୧୯୬୩ ମସିହା ଜାନୁଆରୀ ୨୦ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ ଚକ୍ରଧାରୀ ଶରଣ ସିଂ ଏଲଏଲବିରେ ଡିଗ୍ରୀ କରିବା ପରେ ୧୯୯୦ ଅକ୍ଟୋବର ୩୦ରୁ ଜଣେ ଓକିଲ ଭାବେ କାମ ଆରମ୍ଭ କରିଥିଲେ । ତାଙ୍କୁ ୧୯୯୮ରେ କେନ୍ଦ୍ର ସରକାର ଅତିରିକ୍ତ ସ୍ଥାୟୀ ଆଇନଜୀବୀ ଭାବେ ନିଯୁକ୍ତ କରିଥିଲେ ଏବଂ ସେ ୨୦୦୧ ଯାଏଁ ଏହି ପଦରେ କାମ କରିଥିଲେ । ସେ ମୁଖ୍ୟତଃ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ସୀମା ଶୁଳ୍କ ଓ ଶ୍ରମ ଆଇନ ଅନ୍ତର୍ଗତରେ ଆସୁଥିବା ଅପରାଧିକ ମାମଲାର ପରିଚାଳନା କରୁଥିଲେ ।
ପରବର୍ତ୍ତୀ ସମୟରେ ସେ ପାଟନା ହାଇକୋର୍ଟରେ ଆକାଉଣ୍ଟାଣ୍ଟ ଜେନେରାଲ ଅଫିସ ପକ୍ଷରୁ ମାମଲା ପରିଚାଳନା ପାଇଁ କମ୍ପଟ୍ରୋଲର ଏବଂ ଅଡିଟର ଜେନେରାଲଙ୍କ ଦ୍ଵାରା ପ୍ୟାନେଲ ପରାମର୍ଶଦାତା ଭାବରେ ନିଯୁକ୍ତ ହୋଇଥିଲେ । ୨୦୧୦ ସେପ୍ଟେମ୍ବର ୮ ତାରିଖରୁ ସେ ସିନିୟର ଆଡଭୋକେଟ୍ ଭାବରେ ନିଯୁକ୍ତ ହୋଇଥିଲେ ।ତାଙ୍କୁ ଅତିରିକ୍ତ ଆଡଭୋକେଟ୍ ଜେନେରାଲ୍ ଭାବରେ ନିଯୁକ୍ତ କରାଯାଇଥିଲା । ୨୦୧୦ ଡିସେମ୍ବରରୁ ସେ ଅତିରିକ୍ତ ଜଜ୍ ଭାବରେ ପାଟନା ହାଇକୋର୍ଟରେ ୨୦୧୨ ମାର୍ଚ୍ଚ ୫ ଯାଏଁ କାର୍ୟ୍ୟରତ ଥିଲେ ।
Powered by Froala Editor