ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା: ନବୀନ
ଭୁବନେଶ୍ୱର: ସାରା ଓଡିଶା ଆଜି ଭାଷା ପାଇଁ ଏକାଠି ହୋଇଛି । ଓଡିଆ ଭାଷାର ଏକ ସମୃଦ୍ଧ ଇତିହାସ ରହିଛି । ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା । ଓଡ଼ିଆ ଭାଷାରେ ନୂଆ ନୂଆ ଶବ୍ଦ ଯୋଡ଼ି ହେଉଛି । ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ। ଆମେ ଭବିଷ୍ୟତ ପାଇଁ ନିଜେ ନିଜର ରାସ୍ତା ତିଆରି କରିବା ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି ।
ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ବନ୍ଦେ ଉତ୍କଳ ଜନନୀ ଗୀତରୁ କାର୍ୟ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଭିଏଁ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ। ଦେଶ ବିଦେଶର ଶତାଧିକ ଲେଖକ, ସାହିତ୍ୟିକଙ୍କ ସମାଗମ ହୋଇଛି। ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍ ଏଥିରେ ଉପସ୍ଥିତ ରହିଛନ୍ତି। ଶନିବାର ଠାରୁ ବିଶାଳ ଭାଷା ସମ୍ମିଳନୀର ଉଦଘାଟନୀ ପର୍ବ ଆରମ୍ଭ ହୋଇଥିବା ଏହି ୩ ଦିନ ଧରି ଏହି ସମ୍ମିଳନୀ ଚାଲିବ। ଏଥିରେ ଦେଶ ବିଦେଶର ଓଡିଆ ଭାଷାବିତ୍ ଯୋଗ ଦେଉଛନ୍ତି। ଏହି ସମ୍ମିଳନୀର ପ୍ରସଙ୍ଗ ହେଉଛି ଭାଷା ହିଁ ଭବିଷ୍ୟତ। ଏହି କାର୍ୟ୍ୟକ୍ରମକୁ ସମସ୍ତଙ୍କୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କତି ବିଭାଗର ଶାସନ ସଚିବ ତଥା କମିସନ ସୁଜାତା ଆର୍ କାର୍ତ୍ତିକେୟନ୍ ସ୍ୱାଗତ କରିଥିଲେ।
Powered by Froala Editor