ହେମନ୍ତ ସୋରେନଙ୍କୁ ୫ ଦିନିଆ ରିମାଣ୍ଡ ନେବ ଇଡି

ନୂଆଦିଲ୍ଲୀ:ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିଦେ୍ର୍ଧଶାଳୟ ୫ ଦିନିଆ ରିମାଣ୍ଡରେ ନେବ ବୋଲି ଜଣାଯାଇଛି । ଏହି ରିମାଣ୍ଡ ଅବଧିରେ ଇଡି ହେମନ୍ତ ସୋରେନଙ୍କୁ ମନି ଲଣ୍ଡରିଂ ମାମଲାରେ ଅଧିକ ପଚରାଉ କରିବ ବୋଲି ଜଣାଯାଇଛି । ଜମି ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଦୀର୍ଘ ଦିନ ଧରି ପଚରାଉଚରା ପରେ ହେମନ୍ତ ସୋରେନଙ୍କୁ ବୁଧବାର ଇଡି ଗିରଫ କରିଥିଲା। ଏହି ସମୟରେ ସୋରେନ ରାଜ ଭବନରେ ଇଡି ହେପାଜତରେ ପହଞ୍ଚି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ।
ଅନ୍ୟପକ୍ଷରେ ସୋରେନଙ୍କ ଆବେଦନ ଉପରେ ଶୁଣାଣି ପାଇଁ ସୁପ୍ରିମକୋର୍ଟ ମନା କରିଛନ୍ତି । ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଥିଲେ ସୋରେନ । ତାଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ କପିଲ ସିବଲ ଗୁରୁବାର ଦିନ ଏହି ଆବେଦନ କରିଥିଲେ । ତେବେ ଏହାର ଶୁଣାଣି ପାଇଁ ମନା କରିବା ସହ ସୋରେନଙ୍କୁ ଝାଡ଼ଖଣ୍ଡ ହାଇକୋର୍ଟରେ ଆବେଦନ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ହେମନ୍ତ ସୋରେନଙ୍କ ଆବେଦନର ଶୁଣାଣି ପାଇଁ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି.ୱାଇ ଚନ୍ଦ୍ରଚୂଡ଼ ୩ ଜଣିଆ ସ୍ବତନ୍ତ୍ର ଖଣ୍ଡପୀଠ ଗଠନ କରିଥିଲେ । ଏହି ଖଣ୍ଡପୀଠରେ ଜଷ୍ଟିସ ସଞ୍ଜୀବ ଖନ୍ନା, ଜଷ୍ଟିସ ଏମଏମ ସୁନ୍ଦରେଶ, ଜଷ୍ଟିସ ବେଲା ଏମ. ତ୍ରିବେଦୀ ଥିଲେ । ଆଜି ଦିନ ସାଢେ ୧୦ଟାରେ ଆବେଦନ ଉପରେ ଶୁଣାଣି ହୋଇଥିଲା । ଗୁରୁବାର ସୋରେନଙ୍କ ଓକିଲ କପିଲ ଶିବଲ ଆବେଦନ ଦାୟର କରି ସର୍ବୋଚ୍ଚ କୋର୍ଟକୁ କହିଥିଲେ ଯେ, ଏହି ମାମଲାରେ ଝାଡଖଣ୍ଡ ହାଇକୋର୍ଟରେ ମଧ୍ୟ ଶୁଣାଣି ଚାଲିଛି । କିନ୍ତୁ ଉକ୍ତ ମାମଲାକୁ ଫେରାଇ ନିଆଯିବ । ଏହାପରେ କୋର୍ଟ ହେମନ୍ତ ସୋରେନଙ୍କ ଆବେଦନକୁ ଆଜି ଶୁଣାଣି ପାଇଁ ତାଲିକାଭୁକ୍ତ କରିଥିଲେ ।
ପ୍ରକାଶ ଥାଉକି, ଜମି ଦୁର୍ନୀତି ମାମଲାରେ ଗତ ସୋମବାର ଦିନ ଇଡି ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ବାସଭବନରେ ଚଢାଉ କରିଥିଲା । ସେଠାରେ ଲକ୍ଷାଧିକ ଟଙ୍କା ସହିତ ଏକ ବିଏମଡବ୍ଲୁ କାର ଜବତ କରିଥିଲା । ଏହାପରେ ଗତ ବୁଧବାର ଇଡି ଅଧିକାରୀମାନେ ସୋରେନଙ୍କୁ ପ୍ରାୟ ୬ ଘଣ୍ଟା କାଳ ମାରାଥନ ଜେରା କରିଥିଲେ । ତାଙ୍କୁ ଗିରଫ କରାଯିବା ସମ୍ପର୍କରେ ସୂଚନା ପାଇଁ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇ ରାଜଭବନରୁ ଫେରିବା ପରେ ଇଡି ତାଙ୍କୁ ଗିରଫ କରିଥିଲା । ଏହାପରେ ଇଡିର କାର୍ୟ୍ୟାନୁଷ୍ଠାନ ବିରୋଧରେ ସେ ପ୍ରଥମେ ଝାଡ଼ଖଣ୍ଡ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ।ସୁପ୍ରିମକୋର୍ଟରେ ଆବେଦନ ନେଇ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ହଜାର ହଜାର ଲୋକେ ଇଡି ଦ୍ବାରା ଗିରଫ ହୋଇଛନ୍ତି । ହେଲେ ସମସ୍ତେ ସୁପ୍ରିମକୋର୍ଟ ଆସୁନାହାନ୍ତି । ଏହାକୁ ନେଇ ଶିବଲ କହିଥିଲେ, ନିର୍ବାଚନ ପୂର୍ବରୁ ସମସ୍ତେ ଗିରଫ ହେବେ ।
Powered by Froala Editor