ବର୍ଷା ଅବଧି ଲମ୍ବିବ
ଭୁବନେଶ୍ୱର: ଜୁନ୍ ୧୦ ତାରିଖରୁ ଲଗାଣ ବର୍ଷା ନେଇ ଯେଉଁ ପୂର୍ବାନୁମାନ କରାଯାଇଥିଲା, ତାହା ଏବେ ଭୁଲ୍ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ପାଣିପାଗ ବିଭାଗ କହୁଛି, ଲଘୁଚାପ ପ୍ରଭାବରେ ସମ୍ଭବତଃ ଆସନ୍ତାକାଲି (୧୨ ତାରିଖ) ଠାରୁ ବର୍ଷା ବଢ଼ିବ । ଏଯାଏଁ ବଡ଼ ବର୍ଷା ହୋଇନଥିବାବେଳେ ବର୍ଷା ଅବଧି ଲମ୍ବିବ । ଆସନ୍ତା ୧୪ ତାରିଖ ନୁହେଁ, ଆସନ୍ତା ୧୬ ତାରିଖ ପର୍ୟ୍ୟନ୍ତ ବର୍ଷା ଲାଗି ରହିବ । ବେଶି ବର୍ଷା ହେବ ଆଭ୍ୟନ୍ତରୀଣ ଓଡ଼ିଶାରେ ।
ପାଣିପାଗ ବିଭାଗ କହିଥିଲା, ଶୁକ୍ରବାର ରାଜ୍ୟର ୯ ଜିଲ୍ଲାରେ ପ୍ରବଳରୁ ଅତ୍ୟନ୍ତ ପ୍ରବଳ, ୧୦ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ଏବଂ ୧୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଅଛି । ଏହି ଅନୁଯାୟୀ ରେଡ୍, ଅରେଞ୍ଜ, ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିଲା । ମାତ୍ର ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ରାଜ୍ୟର ଅନେକ ଅଞ୍ଚଳରେ ବର୍ଷା ନାହିଁ ।
ଜୁନ୍ ୧୦ ତାରିଖରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ସମ୍ପୂର୍ଣ୍ଣ ଓ ଅନେକ ଜିଲ୍ଲାରେ ଆଂଶିକ ପ୍ରବେଶ କରିଥିବା କୁହାଯାଇଥିଲା । ଗୋଟିଏ ପଟେ ମୌସୁମୀ ଆଗମନ ଓ ଅନ୍ୟପଟେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଓଡ଼ିଶା ଉପକୂଳ ପାଖାପାଖି ଲଘୁଚାପ ସୃଷ୍ଟି ହୋଇଥିଲେ ମଧ୍ୟ ରାଜ୍ୟରେ ଏଯାଏଁ ବଡ଼ କିମ୍ବା ଲଗାଣ ବର୍ଷା ନାହିଁ ।
ଗତ ୨୪ ଘଣ୍ଟାରେ (ଶୁକ୍ରବାର ସକାଳ ୮ଟା ୩୦ ସୁଦ୍ଧା) ଯଶିପୁରରେ ସର୍ବାଧିକ ୬୨.୪ ମିଲିମିଟର, ଇନ୍ଦ୍ରାବତୀରେ ୫୩ ମିମି, ଠାକୁରମୁଣ୍ଡାରେ ୨୯, ଉଦଳାରେ ୩୮, କଟକରେ ୧୯.୪, ଜଳେଶ୍ୱରରେ ୨୨ ମିମି ବର୍ଷା ହୋଇଥିଲା । ଯେଉଁ ଦକ୍ଷିଣ ଓଡ଼ିଶାକୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରବେଶ କରିଥିବା କୁହାଯାଉଛି, ସେଠାରେ ଗୁରୁବାର ସକାଳରୁ ଶୁକ୍ରବାର ସକାଳ ଭିତରେ ବିଶେଷ ବର୍ଷା ନାହିଁ ।
ପାଣିପାଗ ବିଭାଗ କହିଛି, ଶନିବାର ସମ୍ବଲପୁର, ସୋନପୁର, ବଲାଙ୍ଗିର, ବୌଦ୍ଧ, ବରଗଡ଼, ଅନୁଗୁଳ ଜିଲ୍ଲାର କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ଓ ଗୋଟିଏ ଦୁଇଟି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହୋଇପାରେ । ଏସବୁ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଏହାବାଦ୍ ମାଲକାନଗିରି, କୋରାପୁଟ, ନବରରଙ୍ଗପୁର, କଳାହାଣ୍ଡି, ନୂଆପଡ଼ା, ଢେଙ୍କାନାଳ, କଟକ, ଦେବଗଡ଼ରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ଅଛି । ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଜପତି, ଗଞ୍ଜାମ, ରାୟଗଡ଼ା, କନ୍ଧମାଳରେ ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୧୩ରୁ ଆଉ ରେଡ୍ ୱାର୍ଣ୍ଣିଂ ନାହିଁ । ତଥାପି ଆସନ୍ତା ୧୩ରୁ ୧୬ ଯାଏଁ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ଅଛି ।
ଜୁନ୍ ୧୨ ଓ ୧୩ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶା ଓ ୧୪ରୁ ୧୬ ସାରା ରାଜ୍ୟରେ ବର୍ଷା ହେବ । ଆସନ୍ତା ୧୭ରୁ ୧୯ ଯାଏଁ ପାଗ ଶୁଖିଲା ରହିବ । ଏହାପରେ ପୁଣି ୩ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୧୪ ତାରିଖ ରାତି ଓ ୧୫ରେ ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଜିଲ୍ଲାରେ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ଏହି ସମୟରେ ଜଗତସିଂହପୁର, କଟକ, ଢେଙ୍କାନାଳ, ନୟାଗଡ଼, ଗଜପତି ଓ ଆଭ୍ୟନ୍ତରୀଣ ଗଞ୍ଜାମ ଓ ରାୟଗଡ଼ାରେ ପ୍ରବଳ ଏବଂ କେତେକ ଜାଗାରେ ଅତି ପ୍ରବଳ ବର୍ଷା ହୋଇପାରେ । ବାକି ଅଞ୍ଚଳରେ ମଧ୍ୟମରୁ ପ୍ରାୟତଃ ଭାରି ବର୍ଷା ହେବ । ଭୁବନେଶ୍ୱରେ ୧୩ରୁ ୧୫ ଭିତରେ ଅଧିକ ବର୍ଷା ହେବ । ମୁଖ୍ୟତଃ ୧୪ରେ ଭୁବନେଶ୍ୱରରେ ଅଧିକ ବର୍ଷା ହୋଇପାରେ । ଆସନ୍ତା ୧୬ ତାରିଖ ପଶ୍ଚିମ ଓଡ଼ିଶାରେ ପ୍ରବଳରୁ ପ୍ରବଳତର ବର୍ଷା ହେବ । ଲଗାଣ ବର୍ଷା ଯୋଗୁ ସୁବର୍ଣ୍ଣରେଖା ନଦୀ ଫୁଲିପାରେ । ୧୯ରୁ ୨୧ ପର୍ୟ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାରେ (ବିଶେଷ କରି ଛତିଶଗଡ଼ ସୀମାନ୍ତ ଜିଲ୍ଲାରେ) ପ୍ରବଳ ବର୍ଷା ହୋଇପାରେ ।
Powered by Froala Editor