ଖବରକାଗଜରେ ଖାଦ୍ୟ ପ୍ୟାକ୍ କରିବା କ୍ୟାନସରର କାରଣ
ଖବରକାଗଜ ଛପା ପାଇଁ ବ୍ୟବହୃତ ହେଉଥିବା କାଳି ରେ ଲେଡ୍ ଭଳି ଅନେକ ବିଷାକ୍ତ କେମିକାଲ୍ ଥାଏ। ଯଦି ଆପଣ ମଧ୍ୟ କେବେ ଖାଦ୍ୟ ରଖିବା ପାଇଁ ଖବରକାଗଜ ବ୍ୟବହାର କରୁଛନ୍ତି, ତେବେ ଶରୀର ପାଇଁ କ୍ଷତିକାରକ। ନିକଟରେ ଭାରତୀୟ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ତରଫରୁ ଖବରକାଗଜରେ ଖାଦ୍ୟ ପରଷିବା କିମ୍ବା ଗୁଡ଼ାଇବା ଉପରେ ରୋକ୍ ଲଗାଯାଇଛି, କାରଣ ଏହାଦ୍ୱାରା ସ୍ୱାସ୍ଥ୍ୟ ପ୍ରତି ଗମ୍ଭୀର ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି।
ଖବରକାଗଜ କିମ୍ବା ଯେକୌଣସି ପ୍ରିଣ୍ଟ୍ ହୋଇଥିବା କାଗଜରେ ଖାଦ୍ୟ ପ୍ୟାକ୍ କରିବାଠାରୁ ଦୂରେଇ ରହିବା ଉଚିତ। FSSAI ଅନୁଯାୟୀ, ଯେତେବେଳେ ଗରମ କିମ୍ବା ତେଲିଆ ଖାଦ୍ୟ ଖବରକାଗଜ ସଂସ୍ପର୍ଶରେ ଆସେ, ସେତେବେଳେ ସେଥିରେ ଥିବା କେମିକାଲ୍ ସିଧାସଳଖ ଆପଣଙ୍କ ଖାଦ୍ୟରେ ମିଶିଯାଇଥାଏ, ଯାହା ବିଭିନ୍ନ ପ୍ରକାରର ରୋଗର କାରଣ ସାଜିଥାଏ।
‘ପବ୍ମେଡ୍ ସେଣ୍ଟ୍ରାଲ୍’ (PubMed Central) ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଧୂମପାନ ବ୍ୟତୀତ ଡାଇ ଏବଂ ପେଣ୍ଟ୍ ଭଳି ଜିନିଷ ଦ୍ୱାରା ମଧ୍ୟ କ୍ୟାନ୍ସର ହେବାର ଆଶଙ୍କା ଥାଏ। ରିପୋର୍ଟରୁ ଜଣାପଡ଼ିଛି ଯେ ମୂତ୍ରାଶୟ କ୍ୟାନ୍ସର ବଢ଼ିବା ପଛର ମୁଖ୍ୟ କାରଣ ହେଉଛି ଆରୋମାଟିକ୍ ଏମାଇନ୍ସ ଏବଂ ୪,୪′-ମେଥିଲିନବିସ୍ (୨-କ୍ଲୋରୋଏନିଲିନ୍) ର ସଂସ୍ପର୍ଶରେ ଆସିବା।
FSSAI ପକ୍ଷରୁ ଏଭଳି ସତର୍କ ସୂଚନା ଜାରି ହେବା ପ୍ରଥମ ଘଟଣା ନୁହେଁ। ଏହାପୂର୍ବରୁ ୨୦୧୯ ମସିହାରେ ମଧ୍ୟ ଖାଦ୍ୟ ଯେପରି ଦୂଷିତ ନହୁଏ, ସେଥିପାଇଁ ଚିନ୍ତା ପ୍ରକଟ କରାଯାଇଥିଲା। ଖାଦ୍ୟ ସୁରକ୍ଷା ଏବଂ ମାନକ ନିୟମାବଳୀ, ୨୦୧୮ ଅନୁଯାୟୀ ଖବରକାଗଜ କିମ୍ବା ସେହିଭଳି କୌଣସି ସାମଗ୍ରୀର ବ୍ୟବହାର ସମ୍ପୂର୍ଣ୍ଣ ନିଷେଧ କରାଯାଇଛି।
Powered by Froala Editor