୧୨୦୦ ନୂଆ ଆମ୍ବୁଲାନ୍ସ ଆଣିବ ସ୍ୱାସ୍ଥ୍ୟ ବିଭାଗ

ଭୁବନେଶ୍ୱର: ଆଉ ଦୁର୍ଘଟଣା ଯୋଗୁଁ ରାସ୍ତା ଉପରେ ଚାଲିଯିବ ନାହିଁ ଜୀବନ। ଫୋନ୍ ଆସିବାର ୧୦ ମିନିଟ୍ ମଧ୍ୟରେ ଆହତ, ରୋଗୀଙ୍କ ନିକଟରେ ପହଞ୍ଚିବ ସରକାରୀ ଆମ୍ବୁଲାନ୍ସ। ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୨୦୨୭ ସୁଦ୍ଧା ୧୨୦୦ ନୂଆ ଆମ୍ବୁଲାନ୍ସ ଆଣିବ। ପ୍ରତି ବର୍ଷ ୩୦୦ ଲେଖାଏଁ ଆମ୍ବୁଲାନ୍ସ ରୋଗୀ ସେବାରେ ନିୟୋଜିତ କରିବା ପାଇଁ ନିଷ୍ପତ୍ତି ହୋଇଛି। ଗୁରୁତ୍ୱପୂର୍ଣ୍ଣ ହେଉଛି ଏସବୁ ଆମ୍ବୁଲାନ୍ସରେ ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ଉପଲବ୍ଧ ହେବ। ଯଦ୍ଦ୍ୱାରା ଡାକ୍ତରଖାନାରେ ପହଞ୍ଚିବା ପୂର୍ବରୁ ଆହତ, ରୋଗୀଙ୍କ ଚିକିତ୍ସା ଆରମ୍ଭ ହୋଇପାରିବ। ପ୍ରତି ୫୦୦୦୦ ଲୋକଙ୍କ ପାଇଁ ଅନ୍ତତଃ ଗୋଟିଏ ଆମ୍ବୁଲାନ୍ସ ରହିବ। ଏଥିଲାଗି ରାଜ୍ୟ ସରକାର ୧୯୦୬ କୋଟି ଟଙ୍କାର ଏକ ବ୍ୟୟ ଅଟକଳ କରିଛନ୍ତି।
ସୂଚନା ଅନୁସାରେ, ରାଜ୍ୟରେ ଏବେ ସରକାରଙ୍କ ପକ୍ଷରୁ ୧୦୮ ଆମ୍ବୁଲାନ୍ସ ଜରିଆରେ ରୋଗୀ, ଆହତଙ୍କ ପରିବହନ କରାଯାଉଛି। ତେବେ ଅଧିକାଂଶ ସ୍ଥାନରେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ପ୍ରାୟ ୨୫ ମିନିଟ୍ ସମୟ ଲାଗି ଯାଉଛି। ଏହାକୁ ବିଚାର କରି ନିକଟରେ ବିଭାଗ ପକ୍ଷରୁ ୩୪୯ଟି ଆମ୍ବୁଲାନ୍ସକୁ ୧୦୮ ବ୍ୟବସ୍ଥାରେ ନିୟୋଜିତ କରାଯାଇଛି। ତଥାପି ଆମ୍ବୁଲାନ୍ସର ଅଭାବ ପରିଲକ୍ଷିତ ହେଉଛି। ତେଣୁ ପର୍ୟ୍ୟାୟକ୍ରମେ ସ୍ୱାସ୍ଥ୍ୟ ସେବାରେ ୧୨୦୦ ଆମ୍ବୁଲାନ୍ସ ନିୟୋଜନ କରିବା ଲାଗି ନିଷ୍ପତ୍ତି ହୋଇଛି। ଏଥିପାଇଁ ଆଗାମୀ କିଛି ବର୍ଷ ମଧ୍ୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜରିଆରେ ୧୫୦୦ କୋଟି ଟଙ୍କା ବ୍ୟୟରେ ନୂଆ ଆମ୍ବୁଲାନ୍ସ ବ୍ୟବସ୍ଥା କରାଯିବ। ନୂଆ ଆମ୍ବୁଲାନ୍ସ ନିମନ୍ତେ ଆଗାମୀ ଆର୍ଥିକ ବର୍ଷରେ ୫୧୭ କୋଟି, ୨୦୨୫-୨୬ରେ ୪୬୫ କୋଟି, ୨୦୨୬-୨୭ରେ ୪୦୦ କୋଟି ଏବଂ ୨୦୨୭-୨୮ରେ ୫୨୪ କୋଟି ଟଙ୍କା ବ୍ୟୟ କରାଯିବ।
Powered by Froala Editor