ପୁଣି ଥରେ ମାରି ପାରନ୍ତି ୟୁ-ଟର୍ଣ୍ଣ : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପୂର୍ବରୁ ବିହାର ରାଜନୀତିରେ ଆରମ୍ଭ ହୋଇଗଲାଣି ହଟଚମଟ। ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ନୀତିଶ କୁମାର । ମାରି ପାରନ୍ତି ୟୁ-ଟର୍ଣ୍ଣ । ମହାଗଠବନ୍ଧନ ଛାଡି ପଦ୍ମ ଶିବିରକୁ ଡେଇଁ ପାରନ୍ତି । ଏଥିପାଇଁ ବିହାରରେ ରାଜନୀତି ଚଳଚଞ୍ଚଳ ହୋଇ ଯାଇଛି ।
ରାଜନୈତିକ ହଟଚମଟ ଭିତରେ ରାତାରାତି ବିହାରର ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ନୀତୀଶ କୁମାର ୭୯ ଆଇପିଏସ ଅଧିକାରୀ ଓ ୪୫ ବିହାର ପ୍ରଶାସନିକ ଅଧିକାରୀଙ୍କର ବଦଳି କରି ଦେଇଛନ୍ତି । ରାଜ୍ୟର ପ୍ରଶାସନିକ କ୍ଷେତ୍ରରେ ଦୀର୍ଘ ବର୍ଷ ଧରି ବହୁ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବା ଅଧିକାରୀମାନଙ୍କୁ ନୀତୀଶ କୁମାର ବଦଳି କରି ଦେଇଛନ୍ତି ।
ବିଜେପି ପକ୍ଷରୁ ଆଜି ବିହାରର ସମସ୍ତ ସାଂସଦ ଓ ବିଧାୟକମାନଙ୍କ ବୈଠକ ଡକାଯାଇଛି । ଏଥିରେ ଆଗାମୀ ଲୋକସଭା ପାଇଁ ରଣନୀତି ସ୍ଥିର ହେବ । ଆଜି ଅପରାହ୍ନ ୪ଟା ବେଳେ ଦଳୀୟ କାର୍ୟ୍ୟାଳୟରେ ବୈଠକ ଡକାଯାଇଛି। ଏହି ବୈଠକରେ ସମସ୍ତ ସାଂସଦ ଓ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି। ଏଥିରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ ବୋଲି ରାଜନୈତିକ ବିଶାରଦମାନେ ଆକଳନ କରୁଛନ୍ତି । ଆରଜେଡି-ଜେଡିୟୁ ମେଣ୍ଟରେ ଦେଖାଦେଇଥିବା ଫାଟକୁ ନେଇ ଆରଜେଡି ଶିବିରରେ ବି ହଲଚଲ ସୃଷ୍ଟି ହୋଇଛି। ସ୍ଥିତିର ସମୀକ୍ଷା କରିବାକୁ ଆଜି ତେଜସ୍ୱୀ ଯାଦବଙ୍କ ସରକାରୀ ବାସଭବନରେ ଅପରାହ୍ନ ୧ଟାରେ ଆରଜେଡିର ବିଧାୟକ ଦଳ ବୈଠକ ଡକାଯାଇଛି। ନୀତୀଶ କୁମାର ବି ଆଜି ନିଜ ବିଧାୟକ ଦଳ ବୈଠକ ଡାକିଥିବା ଶୁଣିବାକୁ ମିଳୁଛି।
ଏହାପରେ ସମ୍ଭବତଃ ନୀତୀଶ କୁମାର ରାଜ୍ୟପାଳଙ୍କୁ ସାକ୍ଷାତ କରି ସରକାର ଗଠନ କରିବାକୁ ଦାବି ଜଣାଇ ପାରନ୍ତି। ତେଣୁ ଆସନ୍ତାକାଲି ସନ୍ଧ୍ୟାରେ ନଚେତ ସୋମବାର ତାଙ୍କ ଶପଥ ଗ୍ରହଣ ସମାରୋହ ହୋଇପାରେ ବୋଲି ଆକଳନ କରାଯାଉଛି।
Powered by Froala Editor