ସାଧାରଣତନ୍ତ୍ର ଦିବସ: ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ
ଭୁବନେଶ୍ୱର:ଭୁବନେଶ୍ୱର ମହାତ୍ମା ଗାନ୍ଧୀ ମାର୍ଗରେ ଆସନ୍ତା ୨୬ ତାରିଖରେ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ସର୍ବସାଧାରଣ ଯାତାୟାତ ନିମନ୍ତେ କଟକଣା ଲାଗୁ କରାଯାଇଛି। ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ୟ୍ୟନ୍ତ କୌଣସି ଭାରୀଯାନ ଜନପଥ ରାସ୍ତା ଦେଇ ରାମ ମନ୍ଦିର ଛକଠାରୁ ରାଜମହଲ ଛକ ମଧ୍ୟରେ ଚଳାଚଳ କରିପାରିବେ ନାହିଁ। ମହାତ୍ମା ଗାନ୍ଧୀ ମାର୍ଗ ଦେଇ ମାଷ୍ଟରକ୍ୟାଣ୍ଟିନ ଛକଠାରୁ ପିଏମ୍ଜି ଛକ ମଧ୍ୟରେ କୌଣସି ପ୍ରକାରର ଯାନବାହନ ଚଳାଚଳ କରିବ ନାହିଁ। ସେହିପରି ହାଉସିଂ ବୋର୍ଡ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଯାନବାହନ ଯିବାକୁ ବାରଣ କରାଯାଇଥିବାବେଳେ କେଶରୀ ଟକିଜଠାରୁ ବାମ ପାର୍ଶ୍ୱ ରାସ୍ତା ଦେଇ ଯିବାକୁ କୁହାଯାଇଛି। ସେହିପରି କୌଣସି ଗାଡି ଏଜି ଛକ ପଟୁ ପିଏମ୍ଜି ଛକ ଆଡକୁ ଯାଇପାରିବେ ନାହିଁ। ଏସବୁ ଗାଡି ସୂଚନା ଭବନଠାରୁ ଡାହାଣ ପାର୍ଶ୍ୱ ଦେଇ ଇଡ୍କଲ ଅଡିଟୋରିୟମ ରାସ୍ତା ଦେଇ ଯାଇପାରିବେ। ୧୨୦ ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡକୁ ଆସୁଥିବା ଗାଡି ଏମ୍ଏଲ୍ଏ କଲୋନୀ ପାଖ ୟୁନିଟ-୪ ରାସ୍ତା ଦେଇ ଯାଇପାରିବେ। ମହାତ୍ମାଗାନ୍ଧୀ ମାର୍ଗକୁ ଲାଗି ଥିବା ସମସ୍ତ ଗଳିକନ୍ଦି ରାସ୍ତା ବନ୍ଦ ରହିବ। କେବଳ ପଥଚାରୀମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗକୁ ଯିବାକୁ ଦିଆଯିବ। ଏହାସହ ଭିଆଇପି ଓ ଭିଭିଆଇପିମାନେ ଜନପଥ ରାସ୍ତା ଦେଇ ମାଷ୍ଟର କ୍ୟାଣ୍ଟିନ ଛକ ପର୍ୟ୍ୟନ୍ତ ଆସିପାରିବେ। ତେବେ ସୋମବାର ଭଳି ୨୪ ତାରିଖ ଅପରାହ୍ଣ ୨ଟାରୁ ୫ଟା ୩୦ ପର୍ୟ୍ୟନ୍ତ ଏହି ଗାଡି ଚଳାଚଳ କଟକଣା ମଧ୍ୟ ଲାଗୁ ହୋଇଛି।
ଅପରପକ୍ଷେ ୨୬ ତାରିଖ ସକାଳ ସାଢେ ୬ଟାରୁ ପରେଡ଼ ସରିବା ପର୍ୟ୍ୟନ୍ତ ପିଏମଜି ଛକଠାରୁ ମାଷ୍ଟର କ୍ୟାଣ୍ଟି ଛକ ଓ ଏହାର ଆଖପାଖରେ ଗ୍ୟାସ୍ ବେଲୁନ ବିକ୍ରି କରାଯିବାକୁ ବାରଣ କରାଯାଇଛି। ପରେଡ଼ ସମୟରେ ରେଲୱେ ଷ୍ଟେଶନ ପାଖ ବିଡିଏ ବସ୍ ଷ୍ଟାଣ୍ଡ, କଂଗ୍ରେସ ଭବନ ସାମ୍ନା ଖାଲି ସ୍ଥାନ, ଇଡ୍କଲ ଅଡିଟୋରିୟମ ସାମ୍ନା ଖାଲି ସ୍ଥାନ, ସୂଚନା ଭବନ ସାମ୍ନା ଖାଲି ସ୍ଥାନ,ଏସବିଆଇ ୟୁନିଟ-୩ ସାମ୍ନା ଖାଲି ସ୍ଥାନ ଓ ୟୁନିଟ-୨ ବାଳିକା ଉଚ୍ଚ ବିଦ୍ୟାଳୟ ପଡିଆରେ ଗାଡି ପାର୍କିଂର ବ୍ୟବସ୍ଥା ହୋଇଥିବା ସୂଚନା ଦିଆଯାଇଛି।
Powered by Froala Editor