୨୮ ବର୍ଷ ପରେ ଭାରତରେ 'ମିସ୍ ୱାର୍ଲ୍ଡ' ପ୍ରତିଯୋଗିତା, ଫେବୃଆରୀ ୨୦ରେ 'ଉଦଘାଟନୀ ସମାରୋହ'

୨୮ ବର୍ଷ ପରେ ମିସ୍ ୱାର୍ଲ୍ଡ ଆୟୋଜନ କରିବ ଭାରତ। ଶେଷ ଥର ପାଇଁ ୧୯୯୬ରେ ବେଙ୍ଗାଲୁରୁରେ ମିସ୍ ୱାର୍ଲ୍ଡ ଅନୁଷ୍ଠିତ ହୋଇଥିଲା। ରାଜଧାନୀ ଦିଲ୍ଲୀ ଏବଂ ମୁମ୍ବାଇରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମିସ୍ ୱାର୍ଲ୍ଡର ଅଫିସିଆଲ୍ ପେଜ୍ Xରେ ଏନେଇ ସୂଚନା ଦିଆଯାଇଛି।
ଫେବୃଆରୀ ୧୮ରୁ ମାର୍ଚ୍ଚ ୯ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଚାଲିବ। ଏଥିପାଇଁ ଦିଲ୍ଲୀର ଭାରତ ମଣ୍ଡପମ୍ ଏବଂ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରକୁ ଚୟନ କରାଯାଇଛି। ଫେବୃଆରୀ ୨୦ରେ 'ଉଦଘାଟନୀ ସମାରୋହ' ଏବଂ 'ଇଣ୍ଡିଆ ୱେଲକମ୍ ଦ ୱାର୍ଲ୍ଡ ଗାଲା' ନୂଆଦିଲ୍ଲୀର ହୋଟେଲ ଅଶୋକଠାରେ ଅନୁଷ୍ଠିତ ହେବ। ଶେଷରେ ମାର୍ଚ୍ଚ ୯ ରେ ଫାଇନାଲ୍ ମୁମ୍ବାଇର ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଅନୁଷ୍ଠିତ ହେବ। ଇଣ୍ଡିଆ ଟୁରିଜିମ୍ ଡେଭଲପମେଣ୍ଟ କର୍ପୋରେସନ୍ (ଆଇଟିଡିସି) ଏହାକୁ ଆୟୋଜିତ କରିବ।
ମିସ୍ ୱାର୍ଲ୍ଡର ଅଧ୍ୟକ୍ଷା ଜୁଲିଆ ମୋର୍ଲି ସିବିଇ ଏକ ପୋଷ୍ଟରେ କହିଛନ୍ତି, "୭୧ତମ ମିସ୍ ୱାର୍ଲ୍ଡ ପ୍ରତିଯୋଗିତାକୁ ଭାରତ ଆୟୋଜନ କରିବାକୁ ଯାଉଛି। ଆମେ ଗର୍ବର ସହ ଘୋଷଣା କରୁଛୁ ଯେ, ଏଥର ମିସ୍ ୱାର୍ଲ୍ଡ ଭାରତ ଆୟୋଜିତ କରୁଛି। ଭାରତ ଆୟୋଜକ ହୋଇଥିବାରୁ ଆମେ ବେଶ୍ ଉତ୍ସାହିତ।"
Powered by Froala Editor