କେମିତି ଏ ମଣିଷ : ବସ୍ ଚକା ତଳେ ୬ ମାସର ଝିଅକୁ ଛାଡିଦେଲେ
ହାତ କେମିତି ଗଲା ଏମିତି ଅମାନବୀୟ କାଣ୍ଡ କରିବାକୁ? ୬ ମାସର ଶିଶୁ କନ୍ୟାକୁ ବସ୍ ଚକା ତଳୁ ଉଦ୍ଧାର କରିବା ପରେ ବସ୍ର ହେଲପର ମୁହଁରୁ ଏମିତି କଥା ବାହାରିଛି । କେନ୍ଦୁଝର ଜିଲ୍ଲା ଚମ୍ପୁଆ ବସ୍ଷ୍ଟାଣ୍ଡର ଏକ ବସ୍ ଚକା ତଳୁ ଶିଶୁ କନ୍ୟା ଉଦ୍ଧାର ହୋଇଛି । ତାକୁ ଉଦ୍ଧାର କରିଛନ୍ତି ଜଣେ ହେଲପର ।
ମାସକ ତଳେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ପରିତ୍ୟକ୍ତ ବୋରୱେଲ ରେ ନବଜାତ ଶିଶୁକନ୍ୟା କୁ ଫିଙ୍ଗିବା ଘଟଣା ମନରୁ ନ ଲିଭୁଣୁ ପୁଣି ସେହି ଭଳି ଏକ ଅମାନବୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ।
ଘଟଣା ଅନୁସାରେ ଘଟଗାଁ ରୁ ଚମ୍ପୁଆକୁ ଚଳାଚଳ କରୁଥିବା ଧବଳେଶ୍ୱର ନାମକ ଏକ ଘରୋଇ ବସ ରବିବାର ସନ୍ଧ୍ୟା ସମୟରେ ଚମ୍ପୁଆ ରେ ପହଞ୍ଚିଥିଲା । ଗାଡି ର ହେଲପର ଗୁଡୁ ମହାରଣା ଖାଇ ସାରି ରାତି ପ୍ରାୟ ନଅ ଘଟିକା ସମୟରେ ରେ ଗାଡିର ଚକ ଗୁଡିକୁ ଯାଞ୍ଚ କରୁଥିବା ସମୟରେ ଚକ ତଳେ ଏକ ଜରି ବ୍ୟାଗ ଥିବା ଦେଖିଥିଲେ। ବ୍ୟାଗ ଭିତରରକୁ ଆଡେଇ ଦେଖିବାରୁ ଶିଶୁ କନ୍ୟାଟି କାନ୍ଦି ଉଠିଥିଲା। ସଙ୍ଗେ ସଙ୍ଗେ ସେ ଏ ବାବଦରେ ସେଠାରେ ଉପସ୍ଥିତ ସ୍ଥାନୀୟ ଲୋକଙ୍କୁ ଜଣାଇବା ସହ ଚମ୍ପୁଆ ଥାନାକୁ ଜଣାଇଥିଲେ। ଚମ୍ପୁଆ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାକୁ ଉଦ୍ଧାର କରି ନିକଟସ୍ଥ ଚମ୍ପୁଆ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ।
ଶିଶୁ କନ୍ୟା ଟି ଅଖିଆ ଅପିଆ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା। ତେବେ ରାତିରେ ଔଷଧ ଓ ଖାଦ୍ୟ ଦେବା ପରେ ଶିଶୁ କନ୍ୟାର ସ୍ୱାସ୍ଥ୍ୟବସ୍ଥା ଭଲ ରହିଥିବା ଡାକ୍ତର କହିଛନ୍ତି । ଶିଶୁକନ୍ୟାର କେହି ସମ୍ପର୍କୀୟ ତା'କୁ ବ୍ୟାଗରେ ଭର୍ତ୍ତି କରି ବସ୍ ଚକ ତଳେ ଛାଡ଼ି ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଉଦ୍ଧାର ଶିଶୁ କନ୍ୟାକୁ ଚମ୍ପୁଆ ମେଡ଼ିକାଲର ଏନଆରସି ସେଣ୍ଟରରେ ରଖାଯାଇଛି ।
Powered by Froala Editor