'ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ'

ନୂଆଦିଲ୍ଲୀ: ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । ଭାରତୀୟ ସେନା ସର୍ବଦା ଦେଶର ସୁରକ୍ଷା ପାଇଁ ପ୍ରତିବଦ୍ଧ । ସେ ଯୁଦ୍ଧ ହେଉ, ଦେଶରେ ଏକ ବଡ଼ ଦୁଃଖଦ ଘଟଣା ପରେ ଉଦ୍ଧାର କାର୍ୟ୍ୟ ହେଉ କିମ୍ବା ଜରୁରୀକାଳୀନ ପରିସ୍ଥିତିରେ ଅସହାୟ ଲୋକଙ୍କୁ ସାହାଯ୍ୟ ଯୋଗାଇବା ହେଉ ସବୁ କାର୍ୟ୍ୟରେ ଆଗଭର ଭାରତୀୟ ସେନା । ଦେଶପାଇଁ ବଳିଦାନ ଦେବାକୁ ସର୍ବଦା ପ୍ରସ୍ତୁତ । ଆତଙ୍କବାଦୀ ମୁକାବିଲା ପାଇଁ ସୈନିକମାନେ ନିଜ ଜୀବନକୁ ବିପଦରେ ପକାଇବାକୁ ମଧ୍ୟ ଭୟ କରନ୍ତି ନାହିଁ । ଭାରତୀୟ ସେନାର ପରାକାଷ୍ଠା ଏବଂ ପରାକ୍ରମର ସମ୍ମାନ ପାଇଂ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖକୁ ସ୍ଥଳସେନା ଦିବସ ଭାବେ ପାଳନ କରାଯାଏ ।
ଆଜି ଦେଶ ପାଳୁଛି ୭୬ତମ ସେନା ଦିବସ । ଆଜିର ଏହି ଗୌରବମୟ ଅବସରରେ ନୂଆଦିଲ୍ଲୀ ତଥା ଦେଶର ବିଭିନ୍ନ ସାମରିକ ମୁଖ୍ୟାଳୟରେ ସାମରିକ ପରେଡ, ସାମରିକ ପ୍ରଦର୍ଶନୀ ଏବଂ ଅନ୍ୟାନ୍ୟ ରଙ୍ଗୀନ କାର୍ୟ୍ୟକ୍ରମ ଆୟୋଜିତ ହେଉଛି । ଏହି ଦିନ ଦେଶର ସେନାର ସାହସିକତା, ବୀରତା ଏବଂ ବଳିଦାନକୁ ସ୍ମରଣ କରାଯାଇଥାଏ । ଭାରତୀୟ ସେନାର ଏକ ପ୍ରମୁଖ ଅଙ୍ଗ ହେଉଛି ସ୍ଥଳ ସେନା ।
ବ୍ରିଟିଶ ସାମ୍ରାଜ୍ୟ ଅଧିନରେ ଭାରତୀୟ ସେନା ଗଠନ କରାଯାଇଥିଲା । ସେନାର ବରିଷ୍ଠ ଅଧିକାରୀମାନେ ମଧ୍ୟ ବ୍ରିଟିଶର ଥିଲେ । ତେବେ ଦେଶ ସ୍ବାଧିନତା ହେବା ପରେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ହୋଇନଥିଲା । ୧୯୪୯ ମସିହାରେ ଜେନେରାଲ୍ ଫ୍ରାନ୍ସିସ୍ ବୁଚର ଶେଷ ବ୍ରିଟିଶ କମାଣ୍ଡର ରହିଥିଲେ । ତାଙ୍କ ବିୟୋଗ ପରେ ଲେଫ୍ଟନାଣ୍ଟ ଜେନେରାଲ କେ ଏମ କରିୟପ୍ପା ସ୍ବାଧୀନ ଭାରତର ପ୍ରଥମ ଭାରତୀୟ ସାମରିକ ଅଧିକାରୀ ହୋଇଥିଲେ । ଜାନୁଆରୀ ୧୫ ତାରିଖରେ ଏମ କରିୟପ୍ପା ଜେନେରାଲ୍ ଫ୍ରାନ୍ସିସ୍ ବୁଚରଙ୍କ ଠାରୁ ଭାରତୀୟ ସେନାର କମାଣ୍ଡ ନେଇଥିଲେ । ଭାରତୀୟ ସେନା ପାଇଁ ଏହା ଏକ ବିଶେଷ ମୁହୂର୍ତ୍ତ ରହିଥିଲା । ଏହି ଦିନ ଅର୍ଥାତ ଜାନୁଆରୀ ୧୫ ତାରିଖରେ ପ୍ରଥମ ଥର ପାଇଁ ଦେଶର ସେନାର ନେତୃତ୍ବ ଜଣେ ଭାରତୀୟଙ୍କ ହାତକୁ ଆସିଥିଲା । ଏହି କାରଣରୁ ପ୍ରତିବର୍ଷ ଜାନୁଆରୀ ୧୫ ତାରିଖରେ ଜାତୀୟ ସେନା ଦିବସ ପାଳନ କରାଯାଏ । କେଏମ କରିୟପ୍ପା ଭାରତୀୟ ସେନାରୁ ବର୍ଷ ୧୯୫୩ରେ ଅବସର ନେଇଥିଲେ ।
କେ ଏମ କରିୟପ୍ପା ଭାରତର ପ୍ରଥମ ଫିଲ୍ଡ ମାର୍ଶଲ ରହିଥିଲେ । ତାଙ୍କ ପୁରା ନାମ କୋଣ୍ଡଡେରା ମଡପ୍ପା କରିୟପ୍ପା ରହିଥିଲା । ସେ ଅନେକ ସଫଳତା ହାସଲ କରିଛନ୍ତି । ଭାରତ ଏବଂ ପାକିସ୍ତାନର ମଧ୍ୟରେ ହୋଇଥିବା ଯୁଦ୍ଧର ନେତୃତ୍ବ ନେଇଥିଲେ । ତେବେ ୧୯୯୩ ମସିହାରେ ୯୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଥିଲା । ସେନା ଦିବସ ଅବସରରେ ଦେଶର ସୁରକ୍ଷା ପାଇଁ ପ୍ରାଣବଳି ଦେଇଥିବା ଶହୀଦଙ୍କ ଉଦ୍ଦେଶ୍ୟରେ ସମ୍ମାନ ପ୍ରଦର୍ଶନ କରାଯାଇଥାଏ ।
Powered by Froala Editor