କଂଗ୍ରେସ ଛାଡ଼ି ଶିବସେନାରେ ଯୋଗ ଦେଲେ ମିଲିନ୍ଦ
ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନେତୃତ୍ବାଧୀନ ଶିବସେନାରେ ଯୋଗ ଦେବେ ବୋଲି କିଛି ଦିନ ଧରି ଗୁଜବ ଚାଲିବା ପରେ ବରିଷ୍ଠ ନେତା ମିଲିନ୍ଦ ଦେୱଡ଼ା କଂଗ୍ରେସ୍ ପାର୍ଟିରୁ ଇସ୍ତଫା ଦେଇଥିଲେ। ଇସ୍ତଫା ଦେବା ପରେ ଏବେ ସେ ଏକନାଥ ସିନ୍ଦେଙ୍କ ଶିବସେନାରେ ଯୋଗ ଦେଇଥିବା ଜଣାପଡ଼ିଛି।
ଏହି ସମୟ ମଧ୍ୟରେ ମୁମ୍ବାଇ କଂଗ୍ରେସର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ତାଙ୍କୁ ପାର୍ଟି ପତାକା ଦେଇଥିଲେ ଏବଂ ତାଙ୍କୁ ଶିବସେନାର ସଦସ୍ୟତା ଦେଇଥିଲେ। ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଦେଶର ସର୍ବ ପୁରାତନ ଦଳ ମଣିପୁରରୁ ‘ଭାରତ ଯୋଡୋ ନ୍ୟାୟ ଯାତ୍ରା’ ଆରମ୍ଭ କରିବାକୁ ଯାଉଥିବାବେଳେ ଦେୱଡ଼ା କଂଗ୍ରେସରୁ ଇସ୍ତଫା ଦେଇଛନ୍ତି।
କଂଗ୍ରେସ ଛାଡ଼ିବା ପରେ ‘ଏକ୍ସ୍’ରେ ପୋଷ୍ଟ୍ କରି ସେ ଲେଖିଥିଲେ, “କଂଗ୍ରେସ ପାର୍ଟି ସହିତ ଥିବା ମୋ ପରିବାରର ୫୫ ବର୍ଷର ସମ୍ପର୍କର ଅବସାନ ଘଟାଇ ମୁଁ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛି। ବର୍ଷ ବର୍ଷ ଧରି ମୋତେ ଦୃଢ଼ ସମର୍ଥନ କରିଥିବା ସମସ୍ତ ନେତା, ସହକର୍ମୀ ଓ କାର୍ଯ୍ୟକର୍ତ୍ତାଙ୍କ ପ୍ରତି ମୁଁ କୃତଜ୍ଞ।”
Powered by Froala Editor