ମାର୍ଚ୍ଚ ୧୫ ସୁଦ୍ଧା ଭାରତୀୟ ସୈନ୍ୟ ପ୍ରତ୍ୟାହାର କରିବାକୁ ମାଳଦ୍ୱୀପ ସରକାରଙ୍କ ତାଗିଦ୍

ମାଳଦ୍ୱୀପ ଓ ଭାରତ ସମ୍ପର୍କରେ ଦେଖାଦେଇଥିବା ତିକ୍ତତା ବୃଦ୍ଧି ପାଉଛି । ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ଭାରତକୁ ନାଲି ଆଖି ଦେଖାଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ ନେଇ କହିଥିଲେ କି ଆମକୁ ଗାଳି ଦେବାର ଅଧିକାର କାହାର ନାହିଁ।
ରିପୋର୍ଟ ଅନୁଯାୟୀ, ମହମ୍ମଦ ମୁଇଜ୍ଜୁ ମାଳଦ୍ୱୀପରୁ ଭାରତ ତା’ର ସୈନ୍ୟ ପ୍ରତ୍ୟାହାର କରିବାକୁ ଦାବି ଦୋହରାଇଛନ୍ତି। ଏହା ସହ ସେ ମାର୍ଚ୍ଚ ୧୫ରେ ଭାରତକୁ ଅଲଟିମେଟମ୍ ଦେଇଛନ୍ତି । ଏହା ପୂର୍ବରୁ ମାଳଦ୍ୱୀପ ଦୁଇ ମାସ ତଳେ ଭାରତୀୟ ସୈନ୍ୟ ପ୍ରତ୍ୟାହାର ପାଇଁ ଦାବି କରିଥିଲା। ସରକାରୀ ତଥ୍ୟ ଅନୁଯାୟୀ ମାଳଦ୍ୱୀପରେ ୮୮ଜଣ ଭାରତୀୟ ସୈନ୍ୟ ରହିଛି । ମୁଖ୍ୟତଃ ମାଳଦ୍ବୀପକୁ ଭାରତ ପକ୍ଷରୁ ଦିଆଯାଇଥିବା ହେଲିକପ୍ଟର, ବିମାନ ଓ ବୋଟର ପରିଚାଳନା ପାଇଁ ସେମାନେ ଅଛନ୍ତି ।
ପୂର୍ବରୁ ମଇଜୁ କହିଥିଲେ କି ‘ଆମ ଦେଶ ଛୋଟ ହୋଇପାରେ, କିନ୍ତୁ ଆମକୁ ଗାଳି କରିବାର ଅଧିକାର କାହା ପାଖରେ ନାହିଁ।’ ତେବେ ସେ ସିଧାସଳଖ କାହାର ନାଁ ନେଇ ନଥିଲେ କିନ୍ତୁ କୁହାଯାଉଛି ଯେ, ଭାରତ ଆଡକୁ ଇଙ୍ଗିତ କରି ସେ ଏହା କହିଥିଲେ।
Powered by Froala Editor