କଂଗ୍ରେସରେ ଯୋଗଦେଲେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ଭଉଣୀ
ୱାଇଏସ୍ଆର୍ ତେଲଙ୍ଗାନା ପାର୍ଟିର ପ୍ରତିଷ୍ଠାତା ତଥା ୱାଇଏସ୍ଆର୍ କଂଗ୍ରେସ ମୁଖ୍ୟ ଜଗନମୋହନ ରେଡ୍ଡୀଙ୍କ ଭଉଣୀ ଓ୍ୱାଇ ଏସ୍ ଶର୍ମିଲା କଂଗ୍ରେସରେ ମିଶିଛନ୍ତି। ବୁଧବାର ଦିନ ଶର୍ମିଲା ଦିଲ୍ଲୀ ବିମାନ ବନ୍ଦରରେ ଅବତରଣ କରିବା ପରେ କଂଗ୍ରେସରେ ଯୋଗ ଦେବେ କି ବୋଲି ସାମ୍ବାଦିକମାନେ ପଚାରିବାରୁ ସେ କହିଲେ, ହଁ, ସେମିତି ମନେହେଉଛି। ଏଥିପାଇଁ ଆୟୋଜିତ କାର୍ଯ୍ୟକ୍ରମରେ କଂଗ୍ରେସର ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେ ଓ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀଙ୍କ ଉପସ୍ଥିତିରେ ଶର୍ମିଲାଙ୍କୁ ଔପଚାରିକ ଭାବେ କଂଗ୍ରେସ ପାର୍ଟିରେ ସାମିଲ କରାଯାଇଛି।
ଗତ କିଛି ଦିନ ହେବ ଶର୍ମିଲା କଂଗ୍ରେସରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା। ଏହାରି ଭିତରେ ବୁଧବାର ରାତିରେ ଦିଲ୍ଲୀ ପହଞ୍ଚିଥିଲେ ଶର୍ମିଲା। କଂଗ୍ରେସ ମୁଖ୍ୟାଳୟରେ ପହଞ୍ଚି ସେ ହାତ ଧରିଛନ୍ତି। ଏହାପୂର୍ବରୁ ମଙ୍ଗଳବାର ହାଇଦ୍ରାବାଦରେ ଶର୍ମିଲା ନିଜ ଦଳର ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ଜାନୁଆରୀ ୪ ତାରିଖରେ ଦିଲ୍ଲୀ ଯାଇ ମଲ୍ଲିକାର୍ଜୁନ ଖଡଗେ ଓ ରାହୁଲ ଗାନ୍ଧିଙ୍କୁ ଭେଟିବା ସହ ଏକ ମହତ୍ୱପୂର୍ଣ୍ଣ ଘୋଷଣା କରିବେ ବୋଲି କହିଥିଲେ।
ଏହି କାର୍ଯ୍ୟକ୍ରମରେ ତାଙ୍କ ଦଳ ‘ୱାଇଏସ୍ଆର୍ ତେଲେଙ୍ଗାନା ପାର୍ଟି’ ମଧ୍ୟ ‘କଂଗ୍ରେସ ପାର୍ଟି’ରେ ମିଶିଲା ବୋଲି ଶର୍ମିଲା ଘୋଷଣା କରିବା ସହିତ କହିଛନ୍ତି ଯେ, ତାଙ୍କୁ ଯାହା ଦାୟିତ୍ବ ଦିଆଯିବା ତାହା ସେ ପାଳନ କରିବେ।
Powered by Froala Editor