ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଲୋକାର୍ପିତ ହେଲା ବହୁପ୍ରତୀକ୍ଷିତ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋୟର ସୁକତେଲ ପ୍ରକଳ୍ପର ଉଦଘାଟନ ସହ ୩୦୫ କୋଟି ଟଙ୍କାରେ ୬୯ଟି ଭିତ୍ତିଭୂମି ପ୍ରକଳ୍ପର ଉଦଘାଟନ ଓ ୨ ହଜାର ୨୨୦ କୋଟି ଟଙ୍କାର ୧୧୨ଟି ଭିତ୍ତିଭୂମି ପ୍ରକଳ୍ପର ଭିତ୍ତିସ୍ଥାପନ କରିଛନ୍ତି।
ସମ୍ବଲପୁରୀ ଭାଷାରେ ନବୀନ କହିଥିଲେ, ନୂଆବର୍ଷରେ ବଲାଙ୍ଗୀର ଜିଲ୍ଲାରୁ ମୋର ପ୍ରଥମ ଜିଲ୍ଲା ଗସ୍ତ ଆରମ୍ଭ ହେଲା। ଆଜିର ଦିନ ସ୍ବପ୍ନର ସାକାରର ସ୍ବତନ୍ତ୍ର ଦିନ। ଲୋୟର ସୁକତେଲ୍ ଜଳସେଚନ ପ୍ରକଳ୍ପ ଉଦଘାଟନ କରି ବହୁତ ଖୁସି ବୋଲି ନବୀନ କହିଛନ୍ତି। ଲୋୟର ସୁକତେଲ୍ ବଲାଙ୍ଗୀରର କୃଷି କ୍ଷେତ୍ରରେ ରୂପାନ୍ତରଣ ଆଣିବ। ପ୍ରକଳ୍ପ ଦ୍ବାରା ୧ଲକ୍ଷ ଏକର ଜମିକୁ ପାଣି ମିଳିବ।
ବଲାଙ୍ଗୀର ଓ ସୋନପୁର ଜିଲ୍ଲାର ୮୦ ହଜାରରୁ ଅଧିକ ଚାଷୀ ଉପକୃତ ହେବେ। ୭୦ ହଜାରରୁ ଅଧିକ ଲୋକଙ୍କୁ ପିଇବା ପାଣି ମିଳିବ। ନବୀନ କହିଛନ୍ତି, ଚାଷୀ ସୁଦୃଢ ଅର୍ଥନୀତିର ସାରଥି। ନବୀନ ସରକାର ସବୁବେଳେ ଚାଷୀଙ୍କ ସାଥିରେ ରହିଛନ୍ତି। କାଳିଆ ସହାୟତା ସହ ଚାଷୀଙ୍କ ପିଲାଙ୍କ ପାଇଁ ବୃତ୍ତି, ବିନା ସୁଧରେ ଋଣ ଆଦି ପ୍ରଦାନ କରାଯାଉଛି। ଲୋୟର ସୁକତେଲ ବଲାଙ୍ଗୀର ବିକାଶରେ ନୂଆ ଯୁଗ ଆଣିବ।
5Tମାଧ୍ୟମରେ କାମରେ ଦ୍ରୁତଗତି ଆସିଛି। ରାଜ୍ୟରେ ଜଳସେଚନ ବୃଦ୍ଧି ପାଇଛି। ୩.୬୪ ଲକ୍ଷ ଏକର ଜମିକୁ ଜଳସେଚିତ କରାଯାଇଛି। ଲୋୟର ସୁକତେଲ ପ୍ରକଳ୍ପ ପାଇଁ ୨୯ ଗାଁର ଲୋକମାନେ ବହୁ ତ୍ୟାଗ କରିଛନ୍ତି। ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବା ସହ ବଲାଙ୍ଗୀର ବିକାଶ ପାଇଁ ସେମାନଙ୍କ ତ୍ୟାଗ ମନେରହିବ ବୋଲି ନବୀନ କହିଛନ୍ତି। ଏହାଛଡ଼ା ଜିଲ୍ଲାରେ ସ୍ବାସ୍ଥ୍ୟ ଭିତ୍ତିଭୂମି, ପର୍ୟ୍ୟଟନ, ସଂସ୍କୃତି, ଶିକ୍ଷାର ଉନ୍ନତି ପାଇଁ ଅନେକ ପ୍ରକଳ୍ପ ଆରମ୍ଭ ହୋଇଛି।
ଲୋକଙ୍କ ଇଚ୍ଛାକୁ ସମ୍ମାନ ଜଣାଇ ସରକାର କାମ କରୁଛନ୍ତି ବୋଲି ନବୀନ କହିଛନ୍ତି। ଜିଲ୍ଲାର ହରିଶଙ୍କର ପୀଠ ସହ ଅନ୍ୟାନ୍ୟ ମଠ ମନ୍ଦିରର ବିକାଶ କାମ ଚାଲିଛି। ସବୁ କ୍ଷେତ୍ରରେ ରୂପାନ୍ତରଣ ନୂଆ ଯୁଗ ଆସିବ। ସମସ୍ତଙ୍କ ସହଯୋଗରେ ବଲାଙ୍ଗୀର ଓଡ଼ିଶାର ବିକାଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ନବୀନ କହିଛନ୍ତି।
Powered by Froala Editor