ଜମିବାଡି ବିବାଦ : ସ୍ୱାମୀ, ଦେଢଶୂରଙ୍କୁ ଗୁଳି ମାରି ଆତ୍ମସମର୍ପଣ କଲେ ମହିଳା

ପାରିବାରିକ ବିବାଦ ଅତିଶୟ ହେବାରୁ ସ୍ୱାମୀ ଏବଂ ଦେଢଶୂରଙ୍କୁ ଗୁଳିକରି ହତ୍ୟା କରିଛନ୍ତି ଜଣେ ମହିଳା। ହତ୍ୟାକାଣ୍ଡ ଘଟାଇ ପିସ୍ତଲ ଧରି ମହିଳା ଥାନାରେ ଆତ୍ମସମର୍ପଣ କରିଛନ୍ତି । ସୌଭାଗ୍ୟ ବଶତଃ ମହିଳା ଜଣକ ଅନ୍ୟ କାହାକୁ ଗୁଳି କରିବା ପୂର୍ବରୁ ବନ୍ଧୁକରୁ ଗୁଳି ଶେଷ ହୋଇଯାଇଥିଲା।
ସୂଚନା ଅନୁଯାୟୀ, ସୋମବାର ଉଜ୍ଜୈନୀରେ ବାଦନଗର ତହସିଲ ଅନ୍ତର୍ଗତ ଇନଗୋରିଆରେ ସକାଳ ପ୍ରାୟ 10 ଟା ସମୟରେ ଆଶା କର୍ମୀ ସବିତା କୁମାରିଆ ତାଙ୍କ ସ୍ୱାମୀ ରାଧେଶ୍ୟାମ ଏବଂ ଦେଢଶୂର ଦିନେଶଙ୍କ ଉପରେ ଗୁଳି ଚଳାଇଥିଲେ। ଗୁଳି ଚଳାଇବା ପରେ ରାଧେଶାମଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ଭାଇ ମଧ୍ୟ କିଛି ସମୟ ପରେ ନିଶ୍ୱାସ ତ୍ୟାଗ କରିଥିଲେ। ସବିତା ଜଣେ ଆଶା କର୍ମୀ ହୋଇଥିବାବେଳେ ସମ୍ପତ୍ତି ବିବାଦରୁ ଏଭଳି କାଣ୍ଡ ଘଟାଇଛନ୍ତି ।
୪ ଥାକିଆ ରାଜପଥ କଡରେ ତାଙ୍କର ୫ କୋଟି ମୂଲ୍ୟର ଏକ ଜମି ରହିଛି । ଯାହାକୁ ହଡପ କରିବା ପାଇଁ ଦେଢଶୂର ଦିନେଶ ସବୁବେଳେ ଚାହୁଁଥିଲା । ଏଥିପାଇଁ ସେ ମହିଳାଙ୍କ ସ୍ବାମୀ ରାଧେଶ୍ୟାମକୁ ସବୁବେଳେ ଉସକାଉଥିଲେ । ରାଧେଶ୍ୟାମ ବି ସବୁବେଳେ ନିଶାଗ୍ରସ୍ତ ରହୁଥିବାରୁ ବଡ ଭାଇଙ୍କ ପ୍ରରୋଚନାରେ ସବିତାଙ୍କୁ ପ୍ରତିଦିନ ମାଡ ମାରିବା ସହ ଜମି ଭାଇଙ୍କ ନାଁରେ କରିଦେବା ପାଇଁ ଧମକ ଦେଉଥିଲା । ଏହି ବିବାଦ ଗତ ଦୁଇରୁ ତିନି ବର୍ଷ ଧରି ଚାଲିଆସୁଥିଲା। ଘଟଣା ଦିନ ସେ ପ୍ରଥମେ ଦେଢଶୂର ଓ ପରେ ସ୍ବାମୀଙ୍କୁ ଗୁଳି କରିଥିଲେ ।
ଅଭିଯୁକ୍ତ ମହିଳାଙ୍କର ଦୁଇଟି ସନ୍ତାନ ଅଛନ୍ତି। ବଡ ଝିଅର ବୟସ ପ୍ରାୟ ୧୮ ବର୍ଷ ଏବଂ ପୁଅର ବୟସ ୧୫ ବର୍ଷ। ଏହି ହତ୍ୟାକାଣ୍ଡ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି।
Powered by Froala Editor