ରାତାରାତି ଚୋରି ହୋଇଗଲା ପୋଖରୀ

ବିହାରର ଦରଭଙ୍ଗା ଜିଲ୍ଲାରେ ଜମି ମାଫିଆମାନେ ପୋଖରୀକୁ ବି ଛାଡ଼ିଲେନି । ରାତାରାତି ଗାଏବ ହୋଇଗଲା ପୋଖରୀ। ପୁଲିସ ପହଞ୍ଚିବା ଆଗରୁ ମାଫିଆମାନେ ପୋଖରୀକୁ ଚୋରି କରିନେଲେ।
ବିହାର ଦରଭଙ୍ଗ ବିଶ୍ୱବିଦ୍ୟାଳୟ ଥାନାର ଓ୍ୱାର୍ଡ ନମ୍ବର-୪। ଏଠାରେ ସର୍ବସାଧାରଣଙ୍କ ପାଇଁ ଏକ ସୁନ୍ଦର ପୋଖରୀ ତିଆରି ହୋଇଥିଲା। ତେବେ ଏହି ପୋଖରୀ ଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡିଥିଲା । ରାତାରାତି ଜମି ମାଫିଆମାନେ ପୋଖରୀକୁ ଗାଏବ କରିଦେଇଥିଲେ। ଏଥିରେ ମାଟି ଭରି ସେ ଜାଗାରେ କୁଡ଼ିଆଟିଏ ତିଆରି କରିଦେଇଥିଲେ। ତେବେ ଏନେଇ ସେଠାକାର ଲୋକେ ପୁଲିସକୁ ଖବର ଦେଇଥିଲେ।
ସ୍ଥାନୀୟ ବାସିନ୍ଦାମାନେ କହିଛନ୍ତି, ଉକ୍ତ ପୋଖରୀଟି ଥିଲା ସର୍ବସାଧାରଣଙ୍କ ସମ୍ପତ୍ତି। ସେଥିରେ ମାଛଚାଷ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଉଥିଲା। କିନ୍ତୁ, ଦରଭଙ୍ଗାରେ ଜମି ଦର ବୃଦ୍ଧି ପାଉଥିବା ସେ ପୋଖରୀ ଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟି ପଡ଼ିଥିଲା।
ସେମାନେ ଉକ୍ତ ପୋଖରୀ ପୋତା ଆରମ୍ଭ କରିବାରୁ ସ୍ଥାନୀୟ ବାସିନ୍ଦାମାନେ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟରେ ଅଭିଯୋଗ କଲେ। ଆଞ୍ଚଳିକ ସରକାରୀ ଅଧିକାରୀମାନେ କିଛି ସାମଗ୍ରୀ ଜବତ କରି ପୋଖରୀ ପୋତା କାମ ବନ୍ଦ କରିଥିଲେ। କିନ୍ତୁ, ମାଫିଆମାନେ ଅନ୍ଧାର ରାତିରେ ଗୁପ୍ତରେ ଆସି ଉକ୍ତ ପୋଖରୀକୁ ପୋତି ଆଖପାଖ ଭୂମି ସହିତ ସମାନ କରିଦେଲେ। ଦେଖିଲେ, ସେଠାରେ ପୋଖରୀ ଥିଲା ବୋଲି କେହି କହିବେ ନାହିଁ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ଆଗରୁ ପୋଖରୀ ପୋତି କୁଡ଼ିଆ ନିର୍ମାଣ କରିଥିବା ଅଭିଯୁକ୍ତମାନେ ଖସି ପଳାଇଥିଲେ।
Powered by Froala Editor