ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ କୃଷି ବୈଷୟିକ ପ୍ରବନ୍ଧକ
ଭୁବନେଶ୍ୱର: ଦୁଇ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଆଜି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ରାଜେଶ କୁମାର ସେନାପତି। ଜଣେ ସପ୍ଲାୟରଙ୍କ ଠାରୁ ସେ ଏହି ଅର୍ଥ ନେଉଥିଲେ।
ସପ୍ଲାୟର ଜଣଙ୍କ ଏମ୍ବିଏ କରିଛନ୍ତି। ସେ ନୂଆ ନୂଆ ବ୍ୟବସାୟ କରୁଛନ୍ତି। ଅନ୍ଲାଇନ୍ରେ ପାଇଥିବା ଅର୍ଡର ଅନୁସାରେ ସେ ଆବଶ୍ୟକ ମେସିନ ଗରଦପୁର ବ୍ଲକ କୃଷି କାର୍ୟ୍ୟାଳୟକୁ ଯୋଗାଇ ଦେଇଥିଲେ। ତେବେ ଏନେଇ ବିଲ୍ ପାସ୍ କରିବାକୁ ସହକାରୀ କୃଷି ବୈଷୟିକ ପ୍ରବନ୍ଧକ ରାଜେଶ କୁମାର ସେନାପତି ତାଙ୍କୁ ହଇରାଣ କରୁଥିଲେ ଓ ତା’ ସହିତ ଲାଞ୍ଚ ମାଗୁଥିଲେ।
ଅନ୍ୟକୌଣସି ଉପାୟ ନପାଇ ସପ୍ଲାୟର ଜଣଙ୍କ ରାଜ୍ୟ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ଆଜି ଯୋଜନାବଦ୍ଧ ଭାବେ ଭିଜିଲାନ୍ସ ଅଧିକାରୀମାନେ ରାଜେଶ କୁମାର ସେନାପତିଙ୍କୁ ଲାଞ୍ଚ ନେଉଥିବା ବେଳେ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।ଲାଞ୍ଚ ନେଇ ଧରାପଡ଼ିବା ପରେ ରାଜେଶ କୁମାର ସେନାପତିଙ୍କ ଦୁଇଟି ଠିକଣାରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଥିଲା। ସେ ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହ କରି ଭିଜିଲାନ୍ସ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା। କଟକ ଭିଜିଲାନ୍ସ ଏହି ଘଟଣାରେ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor