ରାୟଗଡ଼ାରେ ଦୁଇଟି ଶିଳ୍ପ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ରାୟଗଡ଼ା ଜିଲ୍ଲାରେ ଦୁଇଟି ଶିଳ୍ପ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ରାୟଗଡ଼ା ଜିଲ୍ଲାର କଂସାରିଗୁଡ଼ାଠାରେ ଏକ ଆଲୁମିନା ରିଫାଇନାରୀ ଓ ଫୁଲ୍ଜୁବାଠାରେ ଏକ ପୋଷାକ ଉତ୍ପାଦନ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଉକ୍ରଳ ଆଲୁମିନା ସାମାଜିକ କଲ୍ୟାଣ ଫାଉଣ୍ଡେସନ ଦ୍ୱାରା ସ୍ଥାପିତ ଆଦିତ୍ୟ ଆଲୁମିନା ରିଫାଇନାରୀ (ହିଣ୍ଡାଲକୋ) ଓ ପୋଷାକ ଉତ୍ପାଦନ କେନ୍ଦ୍ର ଆଦି ଦୁଇ ଶିଳ୍ପ ଯୋଗୁଁ ରାଜ୍ୟକୁ ୮୦୦୦ କୋଟିର ପୁଞ୍ଜିନିବେଶ ଆସିବା ସହ ଏଥିରେ ପ୍ରାୟ ୭୨୦୦ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ଦୁଇ ପ୍ରକଳ୍ପକୁ ସମର୍ଥନ ଜଣାଇଥିବାରୁ ମୁଖ୍ୟମନ୍ତ୍ରୀ ରାୟଗଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହାସହିତ ଏହି ଦୁଇ ପ୍ରକଳ୍ପ ରାୟଗଡ଼ା ଜିଲ୍ଲାକୁ ସମୃଦ୍ଧ କରିବା ସହ ଭାରତର ଶିଳ୍ପ ମାନଚିତ୍ରରେ ଜିଲ୍ଲାକୁ ଏକ ନୂତନ ସ୍ଥାନ ଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଶିଳ୍ପ ସ୍ଥାପନ କେବଳ ରାୟଗଡ଼ା ଜିଲ୍ଲା ବିକାଶ ମାଇଲଖୁଣ୍ଟ ନୁହେଁ, ଏହାଦ୍ୱାରା ରାଜ୍ୟର ପ୍ରାକୃତିକ ସମ୍ପଦର ସଦୁପଯୋଗର ଏକ ଫଳପ୍ରଦ ମାଧ୍ୟମ ହେବ। ଏହି ପ୍ରକଳ୍ପ ଆମ ରାଜ୍ୟର ଶିଳ୍ପ ଦୃଶ୍ୟପଟ୍ଟରେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ। ଏହି ଦୁଇ ପ୍ରକଳ୍ପ ଦ୍ୱାରା ଉତ୍ପାଦନ କ୍ଷେତ୍ରରେ ପୁଞ୍ଜି ବିନିଯୋଗ ପାଇଁ ଓଡିଶା ପୁଣି ଥରେ ନିଜର ପରାକାଷ୍ଠାକୁ ପ୍ରମାଣିତ କରିଛି। ରାୟଗଡ଼ା ଜିଲ୍ଲାକୁ ନିଜର ଶିଳ୍ପ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଚୟନ କରିଥିବାରୁ ଆଦିତ୍ୟ ବିର୍ଲା ଗ୍ରୁପ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ୱାରା ୮୦୦୦ କୋଟି ଟଙ୍କାର ପୁୁଞ୍ଜିନିବେଶ ସହ ବାର୍ଷିକ ୨ ମିଲିୟନ୍ ଟନ୍ ବିଶୋଧିତ ଆଲୁମିନା ଉତ୍ପାଦନ କରାଯିବ ଯାହାକି ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ଯୋଡ଼ିବ। ଆଲୁମିନା ରିଫାଇନାରୀ ବ୍ୟତୀତ ପୋଷାକ ଉତ୍ପାଦନ କେନ୍ଦ୍ର ଯୋଗୁଁ ମଧ୍ୟ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି। ଟିମ୍ ଓଡିଶା ଏହାର ୫-ଟି ପଦକ୍ଷେପ ମାଧ୍ୟମରେ ଏହି ପ୍ରକଳ୍ପର ସୁଗମ କାର୍ୟ୍ୟାନ୍ୱୟନ ସୁନିଶ୍ଚିତ କରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି।
Powered by Froala Editor