କରୋନା: ୨୪ ଘଣ୍ଟାରେ ୩ ମୃତ
ନୂଆଦିଲ୍ଲୀ : କରୋନାର ନୂଆ ଉପ ପ୍ରଜାତି ଭୂତାଣୁ (ଜେଏନ ଡଟ୍ ୱାନ)ରେ ଆଉ ୨୧ଜଣ ଆକ୍ରାନ୍ତ ହୋଇଛନ୍ତି। ଏହି ୨୧ ଆକ୍ରାନ୍ତଙ୍କ ମଧ୍ୟରୁ ଗୋଆରେ ୧୯ଜଣ ମହାରାଷ୍ଟ୍ର ଓ କେରଳରେ ଜଣେ ଲେଖାଏଁ ଅଛନ୍ତି। ଅନ୍ୟପଟେ ଜେଏନ ଡଟ୍ ୱାନ ପ୍ରଜାତି ସଂକ୍ରମଣ ଆରମ୍ଭ ହୋଇଥିବା କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ୩ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ଗତ ୨ ସପ୍ତାହ ମଧ୍ୟରେ ୧୬ଜଣ କରୋନା ସଂକ୍ରମଣରେ ପ୍ରାଣ ହରାଇଲେଣି। ସେହିପରି ସମଗ୍ର ଦେଶରେ ବୁଧବାର ୬୧୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି
। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କେବଳ କେରଳରେ ୨୯୨ଜଣ ଆକ୍ରାନ୍ତ ଅଛନ୍ତି। କେରଳ ସହିତ କର୍ଣ୍ଣାଟକ, ମହାରାଷ୍ଟ୍ର ଓ ଝାଡଖଣ୍ଡରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ବୁଧବାର ଦେଶରେ ଚିହ୍ନଟ ହୋଇଥିବା ଏହି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଗତ ମେ ୨୧ ତାରିଖ ପରଠାରୁ ସର୍ବାଧିକ। ଦେଶରେ କରୋନା ସଂକ୍ରମଣର ଏପରି ବୃଦ୍ଧିକୁ ନେଇ ଆତଙ୍କିତ ନ ହେବାକୁ ନିତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପଲ୍ ପରାମର୍ଶ ଦେଇଛନ୍ତି। ତେବେ ପଲ୍ କହିଛନ୍ତି ଯେ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରମାନେ ନିଜର ସ୍ବାସ୍ଥ୍ୟ ଭିତ୍ତିଭୂମିକୁ ପ୍ରସ୍ତୁତ ରଖିବା ଦରକାର। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ସତର୍କ କରାଇଛନ୍ତି।
Powered by Froala Editor