ବିଦ୍ୟୁତ ତାର ଲାଗି ହେଲପେର ମୃତ
ଫୁଲବାଣୀ: କନ୍ଧମାଳ ଜିଲ୍ଲା ଗୋଚ୍ଛାପଡା ଥାନା ଅନ୍ତର୍ଗତ ପଲାବୃଡି ପଞ୍ଚାୟତ କେରେଙ୍ଗେଲି ଠାରେ ବିଦ୍ୟୁତ ଖୁଣ୍ଟିର ତାରରେ ଲାଗି ଜଣେ ଗାଡି ହେଲପେରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତକ ଜଣକ ହେଲେ ନେଡିପଦରର ଅମାଦ ଦିଗାଲ (୨୮)। ସୂଚନା ଅନୁସାରେ, ଫିରିଙ୍ଗିଆରୁ ବାଲନ୍ଦାପଡା ଯାଉଥିବା ଏକ ଯାତ୍ରୀବାହୀ ବସରେ ଅମାଦ ହେଲପର ଭାବେ କାର୍ଯ୍ୟ କରୁଥିଲେ। ଅମାଦ ଗାଡି ଉପରେ ଚଢି ଜିନିଷ ବାହାର କରିବା ସମୟରେ ଉପରେ ଯାଇଥିବା ଖୁଣ୍ଟିରେ ଝୁଲି ରହିଥିବା ଏକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ। ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ତୁରନ୍ତ ଫିରିଙ୍ଗିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ସୌଭାଗ୍ୟ ବଶତଃ ସେହି ସମୟରେ ଗାଡିରେ ୩୦ରୁ ଉର୍ଦ୍ଧ୍ବ ଯାତ୍ରୀ ଥିଲେ ମଧ୍ୟ କେହି ଆହତ ହୋଇ ନାହାନ୍ତି। ଅପରପକ୍ଷରେ, ସମ୍ପୃକ୍ତ ବିଦ୍ୟୁତ ତାର ଅନେକ ଦିନ ଧରି ଝୁଲି ରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଏ ନେଇ ଲୋକେ ବିଦ୍ୟୁତ ବିଭାଗକୁ ପୂର୍ବରୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇ ନ ଥିବାରୁ ଆଜି ଏଭଳି ଦୁର୍ଘଟଣା ଘଟିଲା ବୋଲି ଲୋକେ କହିଛନ୍ତି। ଏ ନେଇ ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ମନୋଜ କୁମାର ମହାନ୍ତିଙ୍କୁ ପଚାରିବାରେ ଏ ନେଇ ଅନୁଧ୍ୟାନ କରାଯିବବୋଲି ସେ କହିଛନ୍ତି। ଏହି ଘଟଣାରେ ଗୋଚ୍ଛାପଡା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ ହୋଇଥିବା ଏସ ଆଇ ମନୋରଞ୍ଜନ ଭୋଇ ସୂଚନା ଦେଇଛନ୍ତି।
Powered by Froala Editor