ଥରୁଛି ରାଜ୍ୟ, ୨୦ ରୁ ସାମାନ୍ୟ କମିପାରେ ଶୀତ ପ୍ରକୋପ

ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶୀତ ପ୍ରକୋପ । ରାଜ୍ୟର ୧୧ରୁ ଅଧିକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ରୁ କମ୍ ରହିଛି । ପାଣିପାଗ ପୂର୍ବାନୁମାନ କହୁଛି, ଏମିତି ପାଗ ଏବେ ରହିବ । ୨୦ ତାରିଖରୁ ଶୀତ ପ୍ରକୋପ ସାମାନ୍ୟ କମିପାରେ। ଆସନ୍ତା ୨୩ ଓ ୨୪ ତାରିଖବେଳକୁ ଉତ୍ତର ଓ ପାଶ୍ୱର୍ବର୍ତ୍ତୀ ପଶ୍ଚିମ ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ ।
ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସ୍ ଥିବାବେଳେ କିରେଇରେ ୮.୨ ଡିଗ୍ରୀ, ଜି.ଉଦୟଗିରି ୮. ୬ ଡିଗ୍ରୀ, ରାଉରକେଲା ୮.୮ ଡିଗ୍ରୀ, ଅନୁଗୁଳ ୯ ଡିଗ୍ରୀ, ରାଣୀତାଲ ୯.୪ ଡିଗ୍ରୀ, ଦାରିଙ୍ଗବାଡି ୯.୫ ଡିଗ୍ରୀ, ସୁନ୍ଦରଗଡ଼ ୯.୫ ଡିଗ୍ରୀ, କେନ୍ଦୁଝର ୯.୬ ଡିଗ୍ରୀ, କୋରାପୁଟ ୯.୬ ଡିଗ୍ରୀ, ଝାରସୁଗୁଡ଼ା ୯.୮ ଡିଗ୍ରୀ ସେଲସିୟସ୍ ରେକର୍ଡ ହୋଇଛି । ସନ୍ଧ୍ୟା ପରେ କାଲୁଆ ପବନ ଥରାଉଛି । ସକାଳୁ ସକାଳୁ ଥଣ୍ଡା ପବନରେ ପଦାକୁ ବାହାରିବା କଷ୍ଟକର ହୋଇପଡ଼ୁଛି । ଏସବୁ ଅଞ୍ଚଳ ବାଦ୍ ରାଜ୍ୟର ବାକି ଇଲାକାରେ ମଧ୍ୟ ଶୀତ ପ୍ରଭାବ ଜାରି ରହିଛି । ଏମିତିକି ଉପକୂଳରେ ବି ଶୀତ ଅନୁଭୂତ ହେଉଛି ।
ଅନ୍ୟ ସହର ଭିତରେ ସୋନପୁରର ସର୍ବନିମ୍ନ ତାପମାତ୍ରା ୧୦.୯, ଭବାନୀପାଟଣା ୧୧, ବାରିପଦା ୧୧, ବଲାଙ୍ଗିର ୧୨, ବୌଦ୍ଧ ୧୨.୫, ଢେଙ୍କାନାଳ ୧୨.୨, ନବରଙ୍ଗପୁର ୧୨.୫, କେନ୍ଦ୍ରାପଡ଼ା ୧୨.୪, ତାଳଚେର ୧୨.୪, ଭଦ୍ରକ ୧୨.୭, ଭୁବନେଶ୍ୱର ୧୩.୫ ଓ କଟକ ୧୩.୪ ଡିଗ୍ରୀ ଥିଲା ।
ପାଣିପାଗ ବିଭାଗ କହିଛି, ଆସନ୍ତା ୪ ଦିନ ପର୍ୟ୍ୟନ୍ତ ତାପମାତ୍ରାରେ ବିଶେଷ କିଛି ପରିବର୍ତ୍ତନ ସମ୍ଭାବନା ନାହିଁ ।
Powered by Froala Editor