ପ୍ରେମିକା ଉପରେ କାର୍ ଚଢ଼ାଇ ଦେଲା ବୟଫ୍ରେଣ୍ଡ
ମହାରାଷ୍ଟ୍ର ଠାଣେରେ ବାନ୍ଧବୀଙ୍କ ଉପରେ କାର୍ ଚଢାଇ ଦେଲା ବୟଫ୍ରେଣ୍ଡ । ବଡ଼କଥା ହେଉଛି ଅଭିଯୁକ୍ତ ବୟଫ୍ରେଣ୍ଡ ଅଶ୍ବଜିତ ଗାଏକଓ୍ବାଡ ହେଉଛି ମହାରାଷ୍ଟ୍ର ରାଜ୍ୟ ସଡ଼କ ବିକାଶ ନିଗମର ପରିଚାଳନା ନିର୍ଦ୍ଦେଶକ ଅନିଲ ଗାଏକଓ୍ବାଡଙ୍କ ପୁଅ । ସେ ନିଜ ପ୍ରେମିକା ପ୍ରିୟା ସିଂଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଅଶ୍ୱଜିତ ଓ ପ୍ରିୟାଙ୍କ ସମ୍ପର୍କ ୪ ବର୍ଷ ପୁରୁଣା। ଅଶ୍ୱଜିତ ବିବାହିତ ଜାଣି ବି ପ୍ରିୟା ତାଙ୍କ ସହ ସମ୍ପର୍କ ରଖିଥିଲେ।
ପ୍ରିୟା ଇନଷ୍ଟାଗ୍ରାମ୍ରେ ଏକ ଷ୍ଟୋରି ପୋଷ୍ଟ କରି ଘଟଣାକୁ ଲୋକଲୋଚନକୁ ଆଣିଛନ୍ତି। ପୋଷ୍ଟରେ କହିଛନ୍ତି- ଗତ ଡିସେମ୍ବର ୧୧ ତାରିଖରେ ଏକ ପାରିବାରିକ ଉତ୍ସବରେ ସେ ଅଶ୍ବଜିତଙ୍କ ଭେଟିବା ଲାଗି ଯାଇଥିଲେ । କିନ୍ତୁ ସେଠାରେ ଅଶ୍ୱଜିତ ନିଜ ପତ୍ନୀଙ୍କ ସହ ଉପସ୍ଥିତ ଥିଲେ। ଏହା ଦେଖି ଉଭୟଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା। ତାଙ୍କୁ ଅଶ୍ବଜିତ ଅତି କର୍କଶ ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ସେଠାରେ ତାଙ୍କୁ ଚାପୁଡା ମାରିବା ସହ ଚୁଟି ଟାଣି ବେକକୁ ଚିପି ଦେଇଥିଲେ । ସେଠାରେ ବି ଉପସ୍ଥିତ ଥିଲେ ଅଶ୍ବଜିତଙ୍କ ଜଣେ ସାଙ୍ଗ ।
ଅଶ୍ବଜିତ ଫୋପାଡିଦେଇଥିବା ମୋବାଇଲ ଓ ବ୍ୟାଗ ଆଣିବା ଲାଗି ଅଶ୍ବଜିତଙ୍କ କାର ନିକଟକୁ ଯିବାବେଳେ ତାଙ୍କ ଉପରେ କାର୍ ଚଢାଇ ଦେଲେ ଅଶ୍ବଜିତ । ଫଳରେ ପ୍ରିୟାଙ୍କ ଗୋଡ ଉପରେ କାର୍ ଚଢିଯାଇଥିଲା । ଘଟଣା ପରେ ସେମାନେ ଫେରାର ହୋଇଯାଇଥିଲେ । ହସ୍ପିଟାଲ ବେଡରେ ସେ ଏବେ ଅକଥନୀୟ ଯନ୍ତ୍ରଣା ପାଉଥିବା ବେଳେ ପୁଲିସ୍ ବି ତାଙ୍କ ଗୁହାରି ଶୁଣୁନି ବୋଲି କହିଛନ୍ତି ପ୍ରିୟା।
ଏପରିକି ଏହି ଘଟଣା ନେଇ ପ୍ରିୟା ନିକଟସ୍ଥ ଥାନାରେ ମାମଲା ରୁଜୁ କରିଥିବା ବେଳେ ପୁଲିସ୍ କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନି। ତେବେ ଏନେଇ ପ୍ରିୟା ସୋଶାଲ ମିଡିଆରେ ପ୍ରିୟା ପୋଷ୍ଟ କରିବା ପରେ ଆକ୍ସନ ମୁଡକୁ ଚାଲି ଆସିଛି ପୁଲିସ୍। ପୁଲିସ୍ ଏହି ଘଟଣାର ସମସ୍ତ ଅଭିଯୁକ୍ତ ଅଶ୍ୱଜିତଙ୍କ ସମେତ ତାଙ୍କ ୩ ସାଙ୍ଗ ଓ ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ କରିଥିବା ଜଣାଯାଇଛି।
Powered by Froala Editor