୧୯୧ ବର୍ଷରେ ପଦାର୍ପଣ କଲା ‘ଜନାଥନ୍’

ବିଶ୍ବର ସବୁଠୁ ବୟୋଜ୍ୟେଷ୍ଠ ପ୍ରାଣୀ ‘ଜନାଥନ୍’ କଇଁଛ ୧୯୧ ବର୍ଷ ବୟସରେ ପଦାର୍ପଣ କରିଛି। ଜନାଥନ୍ର ଜନ୍ମଦିନ ପାଳନ ବେଳର ଫଟୋ ଗଣମାଧ୍ୟମରେ ଭାଇରାଲ୍ ହେଉଛି।
ସୂଚନାଯୋଗ୍ୟ, ଏହି ପ୍ରଜାତିର କଇଁଛମାନଙ୍କର ଆୟୁଷ ସାଧାରଣତଃ ୧୫୦ ବର୍ଷ, କିନ୍ତୁ ଜନାଥନ୍ ସେ ସମୟସୀମା ଅତିକ୍ରମ କରିଗଲାଣି। ଜୀବନ କାଳରେ ‘ଜନାଥନ’ ୮ଜଣ ବ୍ରିଟିସ୍ ରାଜା, ୪୦ଜଣ ଆମେରିକୀୟ ରାଷ୍ଟ୍ରପତିଙ୍କ ଶାସନ ସମୟ ଅତିକ୍ରାନ୍ତ କଲାଣି।
‘ଗିନିଜ୍ ୱାର୍ଲଡ୍ ରେକର୍ଡ’ ଅନୁସାରେ, ଏହି ପ୍ରକାଣ୍ଡ କଇଁଛର ୧୮୩୨ ମସିହାରେ ଜନ୍ମ ଗ୍ରହଣ କରିଥିଲା। ୧୮୮୨ ମସିହାରେ ସେସେଲ୍ଜ୍ରୁ ସେଣ୍ଟ୍ ହେଲନା ଦ୍ବୀପକୁ ଅଣାଯାଇଥିବା ବେଳେ ତାକୁ ୫୦ ବର୍ଷ ହୋଇଥିଲା।
ତାହାର ଦେଖାଶୁଣା କରୁଥିବା ପ୍ରାଣୀଚିକିତ୍ସକ କହିଛନ୍ତି ଯେ, ‘ଜନାଥନ’ ଏବେ ବି ସୁସ୍ଥସବଳ ଅଛି। ଆଘ୍ରାଣ ଶକ୍ତି ଏବଂ ମୋତିଆ ବିନ୍ଦୁ ଯୋଗୁଁ ଦୃଷ୍ଟିଶକ୍ତି ହରାଇଥିଲେ ବି ତା’ର କ୍ଷୁଧା ଅପରିବର୍ତ୍ତିତ ରହିଛି। ସପ୍ତାହକୁ ଥରେ ତାକୁ ହାତରେ ଖୁଆଇ ଦିଆଯାଉଛି। ଖାଦ୍ୟ ଭାବେ ତାକୁ ଫଳ ଓ ପରିବା ଦିଆଯାଉଛି।
Powered by Froala Editor