ଘରୋଇ ହସ୍ପିଟାଲ୍ ପାଇଁ ଟିକା ଦର ଧାର୍ଯ୍ୟ କଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ
ଘରୋଇ ହସ୍ପିଟାଲ୍ ପାଇଁ ଟିକା ଦର ଧାର୍ଯ୍ୟ କରିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ । ଭାରତ ବାୟୋଟେକ୍ ପ୍ରସ୍ତୁତ କରିଥିବା କୋଭାକ୍ସିନ୍ ସବୁଠୁ ଅଧିକ ଦାମ୍ ରହିଛି । ଏହାର ଗୋଟିଏ ଡୋଜ୍ ୧୪୧୦ ରଖାଯାଇଛି । ସେହିପରି ସେରମ ଇନଷ୍ଟିଚ୍ୟୁଟ ଉତ୍ପାଦନ କରୁଥିବା କୋଭିସିଲ୍ଡ ଟିକାର ଗୋଟିଏ ଡୋଜର ଦର ବାବଦରେ ଘରୋଇ ହସ୍ପିଟାଲଗୁଡ଼ିକ ସର୍ବାଧିକ ୭୮୦ ଟଙ୍କା ଲୋକଙ୍କ ଠାରୁ ନେଇପାରିବେ । ରୁଷ ଟିକା ସ୍ପୁଟନିକ ଭିର ଗୋଟିଏ ଡୋଜ୍ର ଦାମ ୧୧୪୫ ଟଙ୍କା ରଖା ଯାଇଛି । ଏହାଠାରୁ ଅଧିକ ଦାମ କୌଣସି ଘରୋଇ ହସ୍ପିଟାଲ ନେଇପାରିବେ ନାହିଁ ବୋଲି ମନ୍ତ୍ରଣାଳୟ କହିଛି ।
ବଡ କଥା ସରକାର ଟିକା ଉପରେ ଜିଏସଟି ଲାଗୁ କରିଛନ୍ତି । ପ୍ରତି ଡୋଜ୍ ପିଛା ୫ ପ୍ରତିଶତ ଜିଏସଟି ନିଆଯିବ । ଏଥିସହ ସମସ୍ତ ଟିକା ଉପରେ ଡୋଜ୍ ପ୍ରତି ୧୫୦ ଟଙ୍କା ସର୍ଭିସ୍ ଚାର୍ଜ ଲାଗୁ କରାଯିବ ।
ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ଅନୁଯାୟୀ ଜୁନ ୨୧ରୁ ରାଜ୍ୟଗୁଡିକୁ ମାଗଣାରେ ଟିକା ଯୋଗାଣ ଆରମ୍ଭ ହୋଇଯିବ । କେନ୍ଦ୍ର ସରକାର ଟିକା ଯୋଗାଣ ପାଇଁ ମଙ୍ଗଳବାର ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ, ୭୪ କୋଟି ଡୋଜ୍ ଟିକା ଅର୍ଡର ଦିଆଯାଇଛି । ଏଥିରେ ୨୫ କୋଟି କୋଭିସିଲ୍ଡ ଓ ୧୯ କୋଟି ଡୋଜ୍ କୋଭାକ୍ସିନ ରହିଛି । ଏହା ବ୍ୟତୀତ ସରକାର ଇ-ବାୟୋଲୋଜିକାଲ ଲିମିଟେଡ୍ ଟିକାର ୩୦ କୋଟି ଡୋଜ୍ କିଣିବାକୁ ଆଦେଶ ଦେଇଛନ୍ତି । ଏହି ସବୁ ଟିକା ସେପ୍ଟେମ୍ବର ସୁଦ୍ଧା କେନ୍ଦ୍ର ସରକାରଙ୍କୁ ମିଳିଯିବ । ଏପରିକି ସରକାର କମ୍ପାନୀଗୁଡିକରୁ ଅର୍ଡରର ୩୦ ପ୍ରତିଶତ ଅର୍ଥ ଆଗୁଆ ଦେଇ ସାରିଛନ୍ତି ।
Powered by Froala Editor