ମାଲକାନଗିରି ଝିଅ ତେଲୁଗୁ ଫିଲ୍ମ ନାୟିକା
ମାଲକାନଗିରି ଉପାନ୍ତ ହେଲେ ବି ପରିଚିତ ଅଞ୍ଚଳ । ପୁଷ୍ପା-୨, ଦମନ ,ଭଳି ଅନେକ ସିନେମା ମାଲକାନଗିରିରେ ସୁଟିଂ ହୋଇଛି । ତେବେ ମାଲକାନଗିରି କାଲିମେଳାର ଆଉ ଏକ ଗର୍ବ ହେଉଛନ୍ତି ମୋନିକା । କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି ୭୫ ଗ୍ରାମର ମୋନିକା ସମାଦ୍ଦାର ତେଲୁଗୁ ସିନେମାରେ ନାୟିକା ଭାବେ ଅଭିନୟ କରି ଜିଲ୍ଲା ପାଇଁ ଗର୍ବ ଆଣିଛନ୍ତି।
ମୋନିକା 'ଶ୍ରୀନିବାସ କ୍ରିଏସନ୍' ଦ୍ବାରା ନିର୍ମିତ ତେଲୁଗୁ ଚଳଚ୍ଚିତ୍ର "ଗାରାଗା"ରେ ନାୟିକା ଭାବେ ଖୁବ୍ଶୀଘ୍ର ପରଦାରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ସୁଟିଂ ବର୍ତ୍ତମାନ ଆନ୍ଧ୍ରପ୍ରଦେଶର ବିଜିୟୱାଡାରେ ଚାଲିଛି। ଚଳଚ୍ଚିତ୍ରଟି ପ୍ରଥମେ ତେଲୁଗୁ ଏବଂ ପରେ ହିନ୍ଦୀ ଭାଷାରେ ମୁକ୍ତିଲାଭ କରିବ। ପିଲାଟି ଦିନରୁ ନୃତ୍ୟ-ଗୀତ ପ୍ରତି ମୋନିକାଙ୍କ ଦୁର୍ବଳତା ରହିଥିଲା। ଚଳଚ୍ଚିତ୍ରରେ କାମ କରିବା ତାଙ୍କର ସ୍ବପ୍ନ ଥିଲା। ଏବେ ତାଙ୍କର ସେହି ସ୍ବପ୍ନ ସାକାର ହେବାକୁ ଯାଉଛି ବୋଲି ତାଙ୍କ ପରିବାରଲୋକ କହିଛନ୍ତି।
ମୋନିକାଙ୍କ ବାପା ଗୌତମ ସମାଦ୍ଦାର ପେସାରେ ଜଣେ ଛୋଟ ବ୍ୟବସାୟୀ। ବଡ଼ଭାଇ ହାଇଦ୍ରାବାଦରେ ଏକ ପ୍ରାଇଭେଟ୍ କମ୍ପାନୀରେ କାମ କରନ୍ତି। କିନ୍ତୁ ଅଭାବ ଅନଟନ ସତ୍ତ୍ବେ ମୋନିକା ମାଲକାନଗିରିର ଏକ ଘରୋଇ କଲେଜ୍ରେ +୨ ପାଠ ଶେଷ କରିବା ପରେ ବଡ଼ଭାଇଙ୍କ ସହ ହାଇଦ୍ରାବାଦ ଯାଇ ନୃତ୍ୟକଳା ଶିଖିଥିଲେ। ୨ବର୍ଷ ସେଠାରେ ତାଲିମ୍ ନେବା ପରେ କିଛି ଛୋଟ ଧାରାବାହିକରେ ତାଙ୍କୁ ଅଭିନୟ କରିବାର ସୁଯୋଗ ମିଳିଥିଲା। ଏବେ ତାଙ୍କୁ ସିନେମାରେ ନାୟିକା ଭୂମିକାରେ ସୁଯୋଗ ମିଳିଛି।
Powered by Froala Editor