ଏହି ଦିନରେ ଶରୀରରେ ତୈଳଲେପନକୁ ନିଷେଧ

ଶରୀରରେ ତୈଳମର୍ଦ୍ଦନକୁ କୁହାଯାଏ ‘ତୈଳାଭ୍ୟଙ୍ଗ’। ଏହି ତୈଳାଭ୍ୟଙ୍ଗ ବା ତୈଳମର୍ଦ୍ଦନର ନିର୍ଦ୍ଦିଷ୍ଟ ବିଧି ମଧ୍ୟ ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି। ଶୀତଦିନେ ଆମର ଚର୍ମ ଶୁଷ୍କ ହୁଏ। କାରଣ, ଚର୍ମତଳେ ଥିବା ତୈଳଗ୍ରନ୍ଥି ସଂକୁଚିତ ହୋଇଯାଏ। ସେଥିପାଇଁ ଶରୀରରେ ତୈଳମର୍ଦ୍ଦନର ଆବଶ୍ୟକତା ପଡ଼େ।
ଶାସ୍ତ୍ରମାନଙ୍କରେ ତୈଳମର୍ଦ୍ଦନର ଅନେକ ବିଧି-ନିଷେଧ ବର୍ଣ୍ଣିତ ଅଛି। ଷଷ୍ଠୀ, ଏକାଦଶୀ, ଦ୍ୱାଦଶୀ, ଅମାବାସ୍ୟା, ପୂର୍ଣ୍ଣିମା, ବ୍ରତ ଓ ଶ୍ରାଦ୍ଧ ଦିନରେ ଶରୀରରେ ତୈଳଲେପନ ବା ତୈଳମର୍ଦ୍ଦନକୁ ନିଷେଧ କରାଯାଇଛି। ସେହିପରି, ରବି, ମଙ୍ଗଳ, ଗୁରୁ ଓ ଶୁକ୍ରବାର ଦିନ ମଧ୍ୟ ତୈଳ ବର୍ଜନୀୟ ବୋଲି ଉଲ୍ଲେଖ ଅଛି। ‘ନିର୍ଣ୍ଣୟସିନ୍ଧୁ’ରେ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି- ଶରୀରରେ ତୈଳ ଲେପନ କଲେ, ରବିବାରରେ ତାପ, ମଙ୍ଗଳବାରରେ ଆୟୁକ୍ଷୟ, ଗୁରୁବାରରେ ହାନି ଓ ଶୁକ୍ରବାରରେ ଦୁଃଖପ୍ରାପ୍ତି ହୁଏ। ଶରୀରରେ ତୈଳ ଲେପନ କଲେ, ସୋମବାରରେ ଶୋଭା, ବୁଧବାରରେ ଧନ ଓ ଶନିବାରରେ ସୁଖ ପ୍ରାପ୍ତି ହୁଏ।
ଶାସ୍ତ୍ରରେ ଉଲ୍ଲେଖ ମଧ୍ୟ ଅଛି, ଯେ ନିଷିଦ୍ଧ ବାରରେ ଶରୀରରେ ତୈଳଲେପନ ବା ତୈଳମର୍ଦ୍ଦନ କରିବାକୁ ଚାହିଁଲେ- ରବିବାରରେ ପୁଷ୍ପ, ମଙ୍ଗଳବାରରେ ମାଟି, ଗୁରୁବାରରେ ଦୂବ ଓ ଶୁକ୍ରବାରରେ ଗୋମୟମିଶ୍ରିତ ତୈଳର ଉପଯୋଗ ଦୋଷାବହ ନୁହେଁ। ସେହିପରି, ଗନ୍ଧଯୁକ୍ତ ପୁଷ୍ପରେ ସୁବାସିତ, ଅନ୍ୟ ଆୟୁର୍ବେଦୀୟ ପଦାର୍ଥଯୁକ୍ତ ତୈଳର ଉପଯୋଗ ବାଞ୍ଛନୀୟ। ତେବେ, ସୋରିଷ ତେଲ ଯେକୌଣସି ତିଥି ବା ବାରରେ ବର୍ଜନୀୟ ନୁହେଁ।
Powered by Froala Editor