ତେଲୁଗୁ ଅଭିନେତା ଚନ୍ଦ୍ର ମୋହନଙ୍କ ହୃଦଘାତରେ ମୃତ୍ୟୁ

ଲୋକପ୍ରିୟ ତେଲୁଗୁ ଅଭିନେତା ଚନ୍ଦ୍ର ମୋହନଙ୍କର ହୃଦଘାତରେ ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ଚନ୍ଦ୍ର ମୋହନ କିଛିଦିନରୁ ହୃଦଜନିତ ରୋଗରେ ପୀଡିତ ଥିଲେ । ହାଇଦ୍ରାବାଦ ଜୁବଲୀ ହିଲ୍ସର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ହଠାତ୍ ତାଙ୍କର ହୃଦଘାତ ହେବାରୁ ସେ ହସ୍ପିଟାଲରେ ହିଁ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଚନ୍ଦ୍ର ମୋହନ ତାଙ୍କ ପତ୍ନୀ ଓ ଦୁଇ ଝିଅଙ୍କ ସହ ରହୁଥିଲେ।
ଆପୋଲୋ ହସ୍ପିଟାଲ ପକ୍ଷରୁ କୁହାଯାଇଛି ଯେ ୮୨ ବର୍ଷୀୟ ଚନ୍ଦ୍ର ମୋହନ ବୟସ ଜନିତ ଅସୁସ୍ଥତା କାରଣରୁ ଏଠାରେ ଭର୍ତ୍ତି ହୋଇଥିଲେ। ସ୍ୱତନ୍ତ୍ର ଡାକ୍ତରୀ ଟିମ ତାଙ୍କର ଚିକିତ୍ସା କରୁଥିବା ବେଳେ ହୃଦଘାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି।
ଉଲ୍ଲେଖଯୋଗ୍ୟ, ଚନ୍ଦ୍ର ମୋହନ ମେ’ ୨୩, ୧୯୪୧ରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାର ‘ପାମିଡିମୁକ୍କଲା’ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୬୬ରେ ‘ରଙ୍ଗୁଲା ରତ୍ନମ’ ଚଳଚ୍ଚିତ୍ର ଜରିଆରେ ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। ୯୩୨ଟି ଫିଲ୍ମରେ ଅଭିନୟ କରିଥିବା ଚନ୍ଦ୍ର ମୋହନ ଅନେକ ଲୋକପ୍ରିୟତା ସାଉଁଟି ଥିଲେ। ତାଙ୍କର ଦେହାନ୍ତ ହୋଇଥିବା ବେଳେ ଆସନ୍ତା ୧୩ ତାରିଖରେ ଅନ୍ତିମ ସଂସ୍କାର କରାଯିବ।ତାଙ୍କ ମୃତ୍ୟୁରେ ସମଗ୍ର ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶୋକର ଛାୟା ଖେଳିଯାଇଛି ।
Powered by Froala Editor