ସମସ୍ୟା କହିବାକୁ ଖୁଣ୍ଟରେ ଚଢ଼ିଗଲେ ଯୁବତୀ, ଓହ୍ଲାଇବାକୁ ପ୍ରଧାନମନ୍ତ୍ରୀ କଲେ ଅନୁରୋଧ
ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଶନିବାର ସିକନ୍ଦରାବାଦରେ ପହଞ୍ଚିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଭାରେ ଜଣେ ଯୁବତୀ ଅଜବ କାଣ୍ଡ ଘଟାଇଛନ୍ତି । ଯୁବତୀ ହଠାତ ସେଠାରେ ଲାଇଟ୍ ଲଗାଯିବା ପାଇଁ ନିର୍ମାଣ ହୋଇଥିବା ଅସ୍ଥାୟୀ ଖୁଣ୍ଟ ଉପରକୁ ଚଢିଯାଇଥିଲେ। ଯାହା ପରେ ସେଠରେ ଉପସ୍ଥିତ ପୁଲିସ କର୍ମଚାରୀ ଝିଅଟିକୁ ତଳକୁ ଆସିବାକୁ କହିଥିଲେ ମଧ୍ୟ ଝିଅଟି ଶୁଣି ନଥିଲା। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନଜର ଏହା ଉପରେ ପଡିଥିଲା। ସେ ଭାଷଣ ଦେଉଥିବା ସମୟରେ ଭାଷଣ ବନ୍ଦ କରି ଝିଅଟିକୁ ତଳକୁ ଓହ୍ଲାଇବାକୁ ନିବେଦନ କରିଥିଲେ।
ମୋଦୀ ତୁରନ୍ତ କହିଥିଲେ ଯେ “ବେଟା ତଳକୁ ପଳେଇ ଆସ। ଆମେ ତୁମ ସହ ରହିଛୁ। ସେହି ତାରର ସ୍ଥିତି ଆଦୌ ଭଲ ନାହିଁ। ଶର୍ଟ ସର୍କିଟ ହୋଇପାରେ। ଏଥିରେ କାହାର ଲାଭ ହେବନାହିଁ। ମୁଁ ତୁମ ପାଇଁ ଏଠାକୁ ଆସିଛି। ମୁଁ ତୁମ କଥା ନିଶ୍ଚିତ ଶୁଣିବି।”
ମୋଦୀଙ୍କ ଠାରୁ ଷ୍ଟେଜ ଉପରେ ଏପରି ପ୍ରତିଶ୍ରୁତି ପାଇବା ପରେ ଯୁବତୀ ଜଣଙ୍କ ତଳକୁ ଓହ୍ଲାଇଥିଲେ। ତାଙ୍କର ଆଶା ମୋଦୀ ତାଙ୍କ ସମସ୍ୟାର ସମାଧାନ କରିବେ। ତେବେ ତାଙ୍କ ସମସ୍ୟା କ’ଣ ଓ ମୋଦୀ ତାଙ୍କ ସହ କଥା ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।
ପ୍ରଧାନମନ୍ତ୍ରୀ ମୋଦୀ ସିକନ୍ଦରାବାଦରେ ମାଡିଗା ସଂରକ୍ଷଣ ପୋରାଟା ସମିତ ପକ୍ଷରୁ ଆୟୋଜିତ ରାଲିରେ ଯୋଗ ଦେଇଥିଲେ। ତେଲୁଗୁ ରାଜ୍ୟରେ ମାଡିଗା ସଂପ୍ରଦାୟର ଲୋକଙ୍କ ସଂଖ୍ୟା ବେଶ ଅଧିକ। ଜନସଭାରେ ଏହି ସଂପ୍ରଦାୟର ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ ଅନେକ ପ୍ରତିଶ୍ରୁତି ଦେଇଛନ୍ତି।
Powered by Froala Editor