ଅଲଗା ହେଲେ ରାପର ହନି ସିଂ ଓ ଶାଲିନୀ

ପତ୍ନୀ ଶାଲିନୀ ତଲୱାରଙ୍କଠାରୁ ଅଲଗା ହେଲେ ବଲିଉଡ ରାପର ହନି ସିଂ। ଦେଢ଼ ବର୍ଷ ହେଲା ବୈବାହିକ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ହନି । ଶେଷରେ ଦିଲ୍ଲୀ ଫ୍ୟାମିଲି କୋର୍ଟ ଛାଡ଼ପତ୍ରକୁ ମଞ୍ଜୁରୀ ଦେଇଛନ୍ତି ।
ଘରୋଇ ହିଂସାର ଅଭିଯୋଗ ଆଣି ଶାଲିନୀ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ। ଛାଡପତ୍ରକୁ ଅନୁମୋଦନ କରିବା ପୂର୍ବରୁ କୋର୍ଟ ହନି ସିଂଙ୍କୁ ଶେଷ ଥର ପାଇଁ ପଚାରିଥିଲେ କି ସେ ତାଙ୍କ ପତ୍ନୀଙ୍କ ସହ ରହିବାକୁ ଚେଷ୍ଟା କରିବାକୁ ଚାହୁଁଛନ୍ତି କି? ହନି ସିଂ ଉତ୍ତର ଦେଇଥିଲେ ଯେ ବର୍ତ୍ତମାନ ଏକାଠି ରହିବାର କୌଣସି ଅର୍ଥ ନାହିଁ। ଶାଲିନୀ ମଧ୍ୟ ହନିଙ୍କ ଏହି କଥାରେ ଏକମତ ହୋଇଥିଲେ । ତେବେ ଛାଡ଼ପତ୍ର ଆବେଦନ ମଞ୍ଜୁର ହେବା ସହ ଉଭୟ ପରସ୍ପର ବିରୋଧରେ ଆଣିଥିବା ଅଭିଯୋଗ ଫେରାଇ ନେଇଥିବା ଜଣାପଡ଼ିଛି। ହେଲେ କେଉଁ ସର୍ତ୍ତରେ ଉଭୟଙ୍କୁ ଛାଡ଼ପତ୍ର ମିଳିଛି ତାହା ଏକ ବନ୍ଦ ଲଫାପାରେ ରଖାଯାଇଛି ।
ସୂଚନାଯୋଗ୍ୟ, ହନି ଏବଂ ଶାଲିନୀ ପ୍ରେମ ବିବାହ କରିଥିଲେ । ଉଭୟ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରୁଥିଲେ । ଏହାପରେ ୨୦୧୧ ରେ ଦିଲ୍ଲୀର ଏକ ଗୁରୁଦ୍ବାରରେ ଶିଖ ରୀତିନୀତି ଅନୁସାରେ ଉଭୟଙ୍କ ବିବାହ ହୋଇଥିଲା । ହେଲେ ଏହା ପ୍ରକାଶ କରି ନଥିଲେ । ପରେ ଉଭୟଙ୍କ ସମ୍ପର୍କକୁ ନେଇ ଆଲୋଚନା ଜୋର ଧରିବା ପରେ ବିବାହ କଥା ହନି ସ୍ବୀକାର କରିଥିଲେ ।
Powered by Froala Editor