ଭାରତ ପୁଣି ଅପରାଜେୟ: ଦକ୍ଷିଣ ଆଫ୍ରିକା ୨୪୩ ରନରେ ହାରିଲା
ଆଇସିସି ବିଶ୍ବକପର ଏକ ମ୍ୟାଚରେ ଦକ୍ଷିଣ ଆଫ୍ରିକାକୁ ୨୪୩ ରନରେ ପରାସ୍ତ କରିଛି ଭାରତ । ଏହା ସହିତ ଚଳିତ ବିଶ୍ବକପରେ ନିଜର ଅପରାଜେୟ ଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ରବୀନ୍ଦ୍ର ଜାଡ଼େଜା ସର୍ବାଧିକ ୫ ୱିକେଟ ନେଇଥିବା ବେଳେ ରେକର୍ଡ ଶତକ ହାସଲ କରିଥିବା ବିରାଟ କୋହଲି ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଛନ୍ତି।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ରୋହିତ ଶର୍ମା ୪୦ ରନ ଓ ଶୁଭମନ ଗିଲ୍ ୨୩ ରନ କରି ଆଉଟ ହେବା ପରେ ବିରାଟ କୋହଲି ଓ ଶ୍ରେୟସ ଆୟରଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଭାରତର ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେବାରେ ସହାୟକ ହୋଇଥିଲା। ବିରାଟ କୋହଲି ସୂର୍ଯ୍ୟକୁମାର ଯାଦବ ଓ ରବୀନ୍ଦ୍ର ଜାଦେଜାଙ୍କ ସହ ଉପଯୋଗୀ ପାର୍ଟନରସିପ କରି ଦଳୀୟ ସ୍କୋରକୁ ୫୦ ଓଭରରେ ୩୨୬ ରନରେ ପହଞ୍ଚାଇଥିଲେ ।
ଦକ୍ଷିଣ ଆଫ୍ରିକା ଆଗରେ ୩୨୭ ରନର ଲକ୍ଷ୍ୟ ରଖିଥିଲା ଟିମ ଇଣ୍ଡିଆ । ତେବେ ପୁଣି ଥରେ ଘାତକ ବୋଲିଂର ପ୍ରଦର୍ଶନ କରି ଭାରତୀୟ ବୋଲରମାନେ ଦକ୍ଷିଣ ଆଫ୍ରିକା ଟମକୁ ଧୂଳି ଚଟାଇଥିଲେ । ଦକ୍ଷିଣ ଆଫ୍ରିକା ମାତ୍ର ୮୩ ରନରେ ଅଲଆଉଟ ହୋଇଯାଇଥିଲା । ଦଳ ପକ୍ଷରୁ ମାର୍କୋ ଜାନସେନ ୧୪ ରନ ଓ ରାସି ଭାନ ଡର୍ ଦୁସେନ ୧୩ ରନ କରିଥିଲେ । ଭାରତ ପକ୍ଷରୁ ରବୀନ୍ଦ୍ର ଜାଦେଜା ୫ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସମି ଓ କୂଳଦୀପ ଯାଦବ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
Powered by Froala Editor