ସଞ୍ଜୟ ଦାସବର୍ମାଙ୍କୁ ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: ଆଗକୁ ୨୦୨୪ ସାଧାରଣ ନିର୍ବାଚନ । ଏହା ପୂର୍ବରୁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜ ସଂଗଠନକୁ ସୁଦୃଢ କରିବାରେ ଲାଗିପଡ଼ିଛନ୍ତି ।
ଏହି କ୍ରମରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳର ପୁରୁଖା ନେତାକୁ ଭିନ୍ନ ଭିନ୍ନ ଦାୟିତ୍ୱ ଦେଉଛନ୍ତି । ତଦନୁଯାୟୀ ଦୀର୍ଘ ଦିନ ହେଲା ବିଜେଡିରେ କୋଣଠେସା ହୋଇରହିଥିବା ସଞ୍ଜୟ ଦାସବର୍ମାଙ୍କୁ ଦଳ ନୂଆ ଦାୟିତ୍ୱ ଦେଇଛି ।ବିଜେଡିର ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ପୁଣିଥରେ ସକ୍ରିୟ ସାଂଗଠନିକ ଭୂମିକାକୁ ଫେରିଛନ୍ତି । ସଞ୍ଜୟ ଦାସବର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭଦ୍ରକ ଜିଲ୍ଲାର ଜିଲ୍ଲା ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଛନ୍ତି ।
ଦୀର୍ଘଦିନ ପରେ ସାଙ୍ଗଠନିକ ଦାୟିତ୍ୱ ପାଇଛନ୍ତି ସଞ୍ଜୟ ଦାସବର୍ମା । ପୂର୍ବରୁ ସଞ୍ଜୟ ଦଳୀୟ ମୁଖ୍ୟାଳୟର ସାଧାରଣ ସମ୍ପାଦକ ଦାୟିତ୍ୱ ପାଇଥିଲେ । କିନ୍ତୁ ଏବେ ପୁଣିଥରେ ସାଙ୍ଗଠନିକ କାର୍ଯ୍ୟକୁ ଫେରିଛନ୍ତି ସଞ୍ଜୟ । ନୂଆ ଦାୟିତ୍ୱ ପାଇବା ପରେ ସଞ୍ଜୟ କହିଛନ୍ତି, ପୂର୍ବରୁ ନବୀନ ପଟ୍ଟନାୟକ ଯେଉଁ ଦାୟିତ୍ୱ ଦେଇଛନ୍ତି ତାହାକୁ ନିଷ୍ଠା ଓ ଆନ୍ତରିକତାର ସହ ନିର୍ବାହ କରିଛି । ଏବେ ଯେଉଁ ଦାୟିତ୍ୱ ମିଳିଛି ତାହାକୁ ପୂର୍ବ ଭଳି ମୋର ସାଧ୍ୟମତେ ନିର୍ବାହ କରିବି । ମୋ ଉପରେ ଭରସା ଓ ବିଶ୍ୱାସ ସହ ଆସ୍ଥା ପ୍ରକଟ କରିଥିବାରୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ସଞ୍ଜୟ ।
ଏହାଛଡ଼ା ପ୍ରତାପ ଜେନାଙ୍କୁ ମଧ୍ୟ ନବୀନ ନୂଆ ଦାୟିତ୍ୱ ଦେଇଛନ୍ତି । ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାର ଜିଲ୍ଲା ପର୍ଯ୍ୟବେକ୍ଷକଭାବେ ନିଯୁକ୍ତ କରାଯାଇଛି । ଉଭୟଙ୍କ ନିଯୁକ୍ତି ନେଇ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି।
Powered by Froala Editor