ହବିଷ୍ୟାଳିଙ୍କ କାର୍ତ୍ତିକ ବ୍ରତ ଆରମ୍ଭ

କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି ଶ୍ରଦ୍ଧାଳୁମାନେ। ଏଥିପାଇଁ ଚଳଚଞ୍ଚଳ ହୋଇଉଠିଛି ଏକାମ୍ର କ୍ଷେତ୍ର। କାର୍ତ୍ତିକ ବ୍ରତ ପାଇଁ ହବିଷ୍ୟାଳିମାନେ ଆସି ବିଭିନ୍ନ ମଠ ଓ ଧର୍ମଶାଳାରେ ରହିଛନ୍ତି। ତେଣୁ ଏବେଠୁ ମାସକ ଯାକ ଏକାମ୍ର କ୍ଷେତ୍ର ହିବିଷ୍ୟାଳିଙ୍କ ହୁଳହୁଳି ଶବ୍ଦରେ କମ୍ପିଉଠିବ। ମଠ, ମନ୍ଦିରର ତୁଳସୀ ଚଉଁରା ମୂଳେ ଶୁଭିବ ଭାଗବତ ପାଠ ଓ ରାଈ ଦାମୋଦର ପୁରାଣ ପାଠ। ବିଭିନ୍ନ ମଠ, ଧର୍ମଶାଳା ଓ ମନ୍ଦିର ପରିସରରେ ଥିବା ତୁଳସୀ ଚଉଁରା ମୂଳେ ମୁରୁଜ ପକାଇ କାର୍ତ୍ତିକ ମାହାତ୍ମ୍ୟ ପାଠକରି ବ୍ରତ ଆରମ୍ଭ କରିଛନ୍ତି। ହୁଳହୁଳି, ଶଙ୍ଖନାଦ ଓ କାର୍ତ୍ତିକ ମାହାତ୍ମ୍ୟ ପାଠରେ କମ୍ପି ଉଠିଥିଲା ସମ୍ପୂର୍ଣ୍ଣ ପରିବେଶ। ଏଥିସହିତ ସେମାନେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ରାଈ ଦାମୋଦର ବେଶ ଓ ଆଳତି ଦର୍ଶନ କରିଥିଲେ। ସନ୍ଧ୍ୟାରେ ଆକାଶ ଦୀପ ଜଳାଇଥିଲେ।
ହବିଷ୍ୟାଳିମାନେ ମାସ ସାରା କାର୍ତ୍ତିକ ମାହାତ୍ମ୍ୟ ପାଠ କରିବା ସହିତ ଭଜନ, ଭାଗବତ, ପୁରାଣ ଓ ପ୍ରବଚନ ଶୁଣି ସମୟ ଅତିବାହିତ କରିବେ ବୋଲି କହିଛନ୍ତି। ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଗହଳି ଲାଗିରହିଥିଲା। କାର୍ତ୍ତିକ ବ୍ରତ ଆରମ୍ଭ ଥିବାରୁ ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ରାଈ ଦାମୋଦର ବେଶ ଦର୍ଶନ ଓ ଅବଢ଼ା ପାଇଁ ଶ୍ରୀଲିଙ୍ଗରାଜ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ଜମିଥିଲା। ପୁଲିସ ପକ୍ଷରୁ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଥିଲା। ଅନନ୍ତ ବାସୁଦେବ ମନ୍ଦିରରେ ମଧ୍ୟ ଅବଢ଼ା ପାଇଁ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ସୁଆର ସେବାୟତମାନେ ହବିଷ୍ୟାଳିଙ୍କ ପାଇଁ ସ୍ବତନ୍ତ୍ର ଅବଢ଼ା ଓ ହବିଷ ଡାଲମା ପ୍ରସ୍ତୁତ କରିଥିଲେ।
Powered by Froala Editor