ଦୁଇଦିନ ପରେ ବି ସ୍ବାଭାବିକ ହୋଇ ପାରିଲା ନାହିଁ ଲିଙ୍ଗରାଜଙ୍କ ନୀତି

ଭୁବନେଶ୍ବର: ଦୁଇଦିନ ପରେ ମଧ୍ୟ ପ୍ରଭୁ ଲିଙ୍ଗରାଜଙ୍କ ନୀତି ସ୍ବାଭାବିକ ହୋଇ ପାରିଲା ନାହିଁ। ବୁଧବାର ସକାଳୁ ସିଂହଦ୍ୱାର ଖୋଲା ନୀତି ପରଠାରୁ ଠାକୁରଙ୍କ ନୀତିକାନ୍ତି ବନ୍ଦ ରହିଛି। ନୀତିକାନ୍ତି ଠିକ୍ କରିବା ପାଇଁ ଦେବୋତ୍ତର କମିସନରଙ୍କ ପ୍ରୟାସ ମଧ୍ୟ ସଫଳ ହୋଇନାହିଁ। କମିସନରଙ୍କ ସହ ଆଜି ତିନି ନିଯୋଗଙ୍କ ପୃଥକ ପୃଥକ ବୈଠକ ଅସଫଳ ହେବା ଯୋଗୁଁ ନୀତି ସ୍ବାଭାବିକ କେବେ ହେବ ତାକୁ ନେଇ ଅନିଶ୍ଚିତା ଜାରି ରହିଛି। ଅନ୍ୟପଟେ ଦେବୋତ୍ତର କମିସନର ଏହି ବିବାଦର ସମାଧାନ ପାଇଁ ମନ୍ଦିର ଟ୍ରଷ୍ଟ ବୋର୍ଡ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କୌଣସି ପକ୍ଷ ରାଜି ନହେଲେ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବା ସହ ପୁରୁଣା ବିବାଦ ଓ ନୀତିକାନ୍ତି ବନ୍ଦ ସମ୍ପର୍କରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଅନ୍ୟପଟେ ସେବାୟତଙ୍କ ମଧ୍ୟରେ ବିବାଦ ଏବଂ ସମନ୍ବୟ ଅଭାବରରୁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ବନ୍ଦକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସରକାର ପାରିପାଶ୍ବିକ ଉନ୍ନତିକରଣ କରିବାକୁ ଉଦ୍ୟମ କରୁଥିଲେ ହେଁ ମନ୍ଦିର ନୀତି ଶୃଙ୍ଖଳିତ କରିବାକୁ କାହିଁକି ପଛଘୁଞ୍ଚା ଦେଉଛନ୍ତି, ଟ୍ରଷ୍ଟବୋର୍ଡର ସଭାପତି ତଥା ଖୋର୍ଧା ଜିଲ୍ଲାର ଜିଲ୍ଲାପାଳ କାହିଁକି ତତ୍ପରତା ଦେଖାଉନାହାନ୍ତି, ପ୍ରଶାସନ କାହିଁକି କଡ଼ା ଆଭିମୁଖ୍ୟ ଉଠାଉନାହିଁ, ବାରମ୍ବାର କାହିଁକି ଏଭଳି ବିଭ୍ରାଟ ହେଉଛି, ନୀତି ବନ୍ଦ କରିଥିବା ସେବାୟତଙ୍କୁ ନୋଟିସ କାହିଁକି ଦିଆଯାଇନାହିଁ, ପ୍ରଭୁଙ୍କୁ ଉପବାସ ରଖିବାକୁ ସେବାୟତମାନଙ୍କୁ ଅଧିକାର ଦେଲା କିଏ, କାହିଁକି ଦେବୋତ୍ତର ବିଭାଗ ଓ ମନ୍ଦିର ପ୍ରଶାସନ ନିରବଦ୍ରଷ୍ଟା ସାଜିଛନ୍ତି, କେବେ ସ୍ବାଭାବିକ ହେବ ନୀତିକାନ୍ତି- ଏଭଳି ଅସଂଖ୍ୟ ପ୍ରଶ୍ନ ଶ୍ରଦ୍ଧାଳୁଙ୍କ ଠାରୁ ଆରମ୍ଭ କରି ସଚେତନ ନାଗରିକ ପଚାରୁଛନ୍ତି।
Powered by Froala Editor