ଖୋର୍ଦ୍ଧା ଜିଲ୍ଲାର ଏହି ୭ଟି ନିର୍ବାଚନମଣ୍ଡଳୀକୁ ମିଳିଲା ୯୫ କୋଟି ଟଙ୍କା
ଭୁବନେଶ୍ବର: ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାର୍ୟ୍ୟକ୍ରମର ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁର ଜିଲ୍ଲାରେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ପ୍ରତି ପଞ୍ଚାୟତ ପାଇବେ ୫୦ ଲକ୍ଷ ଟଙ୍କା । ଏଥିପାଇଁ ଖୋର୍ଦ୍ଧା ଜିଲ୍ଲାର ୭ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୫ କୋଟି ଟଙ୍କା । ଏହି ନିର୍ବାଚନମଣ୍ଡଳୀ ଗୁଡିକ ହେଲା – ଜୟଦେବ, ଭୁବନେଶ୍ୱର ଉତ୍ତର, ଏକାମ୍ର ଭୁବନେଶ୍ୱର, ଜଟଣୀ, ବେଗୁନିଆ, ଖୋର୍ଦ୍ଧା ଓ ଚିଲିକା । ଏହିସବୁ ନିର୍ବାଚନମଣ୍ଡଳୀର ୧୦ଟି ବ୍ଲକ୍ରେ ୧୯୦ଟି ଗ୍ରାମ ପଞ୍ଚାୟତରେ ୨୭୬୩ଟି ପ୍ରକଳ୍ପ ହେବ।
ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ୮ଟି ପ୍ରକଳ୍ପ ପାଇଁ ୩୪.୩୯ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହା ସହିତ ବେଗୁନିଆ ହସ୍ପିଟାଲକୁ ଉପଖଣ୍ଡ ହସ୍ପିଟାଲ ଭାବେ ଉନ୍ନୀତ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି ବୋଲି ସେ ସୂଚନା ଦେଇଥିଲେ । ସେହିପରି ବୋଲଗଡର ପରମାନନ୍ଦ ମହାବିଦ୍ୟାଳୟର ରୂପାନ୍ତର ପାଇଁ ୨.୨୫ କୋଟି ଟଙ୍କା ଓ ବେଗୁନିଆ କଲେଜ ପାଇଁ ୧.୭୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ସେ କହିଥିଲେ । ସେହିପରି ଭୁବନେଶ୍ବର ଏକାମ୍ର ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୫୫୦ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଏଥିରେ ବରମୁଣ୍ଡା ବସ୍ ଟର୍ମିନାଲ ସହିତ ବିଜେବି କଲେଜ, ରାଜଧାନୀ କଲେଜ ଓ କମଳାନେହେରୁ କଲେଜର ରୂପାନ୍ତର ପାଇଁ ୬.୨୫ କୋଟି ଟଙ୍କା ମଞ୍ଜୁର କରାଯାଇଛି । ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ୧୧ଟି ପ୍ରକଳ୍ପ ପାଇଁ ୧୬୮.୮୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ଶିଶୁଅନନ୍ତ ମହାବିଦ୍ୟାଳୟ, ପ୍ରତାପ ଶାସନ କଲେଜ, ବୁଦ୍ଧନାଥ ମନ୍ଦିର, କୁଆଖାଇ ଜଗନ୍ନାଥ ମନ୍ଦିର ଓ ଶିଶୁ ଅନନ୍ତ ପୀଠର ରୂପାନ୍ତର ପ୍ରଭୃତି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଖୋର୍ଦ୍ଧା ଜିଲ୍ଲାରେ ୮ଟି ପ୍ରକଳ୍ପ ପାଇଁ ୪୦.୬୭ କୋଟି ଟଙ୍କା ମଞ୍ଜୁର କରାଯାଇଛି । ଏଥିରେ ପାଇକ ଏକାଡେମୀ ତଥା ଗବେଷଣା କେନ୍ଦ୍ର ପ୍ରତିଷ୍ଠା ପାଇଁ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ପ୍ରାଣନାଥ କଲେଜ, ନିରାକାରପୁର କ୍ଷେତ୍ରବାସୀ ଡିଏଭି କଲେଜ ଓ କାଇପଦର ଶ୍ରୀଜଗନ୍ନାଥ ମନ୍ଦିରର ରୂପାନ୍ତର ପାଇଁ ମଧ୍ୟ ଅର୍ଥ ମଞ୍ଜୁର କରାଯାଇଛି । ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ବିଜୁ ପଟ୍ଟନାୟକ କଲେଜ, ଜୟଦେବ କଲେଜ ଓ ରାଜା ମଧୁସୂଦନ ଦେବ ଡିଗ୍ରୀ କଲେଜ ଭଳି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଚିଲିକା ନିର୍ବାଚନ ମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୬୨.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ଏଥିରେ ଶ୍ରୀ ଚଣ୍ଡେଶ୍ବର ଦେବ ମନ୍ଦିର, ଗୋଦାବରିଶ ମହାବିଦ୍ୟାଳୟ ଓ ବାଲୁଗାଁ ମହାବିଦ୍ୟାଳୟ ଆଦି ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ରହିଛି । ଜଟଣୀ ନିର୍ବାଚନମଣ୍ଡଳୀରେ ୮ଟି ପ୍ରକଳ୍ପ ପାଇଁ ୨୮୧.୧୪ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଜଟଣୀ କଲେଜର ରୂପାନ୍ତର ଏବଂ ବିଭିନ୍ନ ବେସରକାରୀ ଗୃହନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗ ପାଇଁ ଅର୍ଥ ମଞ୍ଜୁର କରାଯାଇଛି । ଏହାସହିତ ଜଟଣୀ ଓ ଖୋର୍ଦ୍ଧାର ଖାସମାହାଲ ଜମି ଗୁଡିକର ସମାଧାନ କରି ପଟ୍ଟା ଯୋଗାଇ ଦେବାପାଇଁ ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ । ବେସରକାରୀ ଗୃହ ନିର୍ମାଣ ପ୍ରକଳ୍ପ ଗୁଡିକୁ ରାସ୍ତା ସଂଯୋଗୀକରଣ ଯୋଗୁ ଦେଢ ଲକ୍ଷ ଲୋକ ଉପକାର ପାଇବେ ବୋଲି ସେ ସୂଚନା ଦେଇଥିଲେ । ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୫୭ଟି ପ୍ରକଳ୍ପ ପାଇଁ ୧୧୬୦.୫୦ କୋଟି ଟଙ୍କା ମଂଜୁର କରାଯାଇଛି ।
Powered by Froala Editor