କେ. ପଦ୍ମ ରେଡ୍ଡୀ ହତ୍ୟା ଘଟଣା: ୫ଜଣଙ୍କୁ ଗିରଫ କଲା ପୋଲିସ
ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ରମ୍ଭା ଥାନା କେ. ପଦ୍ମ ରେଡ୍ଡୀ ହତ୍ୟା ଘଟଣା । ମାମଲାରେ ପୋଲିସ ୫ଜଣଙ୍କୁ ଗିରଫ କରିବା ସହ ଗୋଟିଏ ଖଣ୍ଡା, ଛୁରୀ ଓ ମୋବାଇଲ୍ ଫୋନ ଜବତ କରିଛି । ତେବେ ଗିରଫ ପାଞ୍ଚ ଜଣ ହେଲେ ରମ୍ଭା ଥାନା କୋମଣ୍ଡ ଗାଁର ରମେଶ ଚନ୍ଦ୍ର ବାରିକ, ଦିବାକର ବାରିକ, ପୁରୁଷୋତ୍ତମପୁର ଥାନା ସିକୁଳା ଗାଁ କୋକି ଓରଫ ନିରଞ୍ଜନ ମହାରଣା, ସମା ଗାଁର ପପୁ ବେହେରା ଓ ନିମଖଣ୍ଡି ଥାନା ଗୁରୁଣ୍ଠି ଗାଁର ସୋନୁ ଓରଫ ସ୍ଵାଧୀନ କୁମାର ଦାସ ବୋଲି ଜଣାପଡିଛି ।
ଖବର ଅନୁଯାୟୀ, ଗତ ମାସ ୨୧ ତାରିଖ ରାତିରେ କୋମଣ୍ଡ ଗାଁର କେ. ପଦ୍ମ ରେଡ୍ଡୀ ଓ ଗୁଡିଝର ଗ୍ରାମର ନୃସିଂହ ନାଥ ପଣ୍ଡା ଉପରେ ଆକ୍ରମଣ ହୋଇଥିଲା । ଏଥିରେ କେ. ପଦ୍ମ ରେଡ୍ଡୀ ମୃତ୍ୟୁ ବରଣ କରିଥିବା ବେଳେ ନୃସିଂହ ନାଥ ପଣ୍ଡା ଗୁରୁତର ଆହତ ହୋଇଥିଲେ । ପୋଲିସରେ ଅଭିଯୋଗ ପରେ ବିଭିନ୍ନ ସ୍ଥାନରେ ଚଢାଉ କରି ଏବେ ୫ଜଣଙ୍କୁ ଗିରଫ କରିଛି । ଏହାସହ ବିଭିନ୍ନ ମାରଣାସ୍ତ୍ର ଜବତ କରିଛି । କୋମଣ୍ଡ ଗାଁର ଦୁଇ ଗୋଷ୍ଠୀ ମଧ୍ୟରେ ପୂର୍ବଶତ୍ରୁତା ସହ ଗାଁର ପାଣ୍ଠିର ବ୍ୟବହାରକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି ।
Powered by Froala Editor