୨୦ ଦିନରେ ପରିବାରର ୫ ଜଣଙ୍କୁ ବିଷ ଦେଇଦେଲେ ଏହି ଦୁଇ ମହିଳା

ମହାରାଷ୍ଟ୍ରର ଗଡଚିରୋଲିରେ ମାତ୍ର ୨୦ ଦିନ ଭିତରେ ଗୋଟିଏ ପରିବାର ୫ ଜଣ ଲୋକଙ୍କ ରହସ୍ୟମୟ ଢଙ୍ଗରେ ଆଖି ବୁଜିଥିଲେ। ପୂର୍ବରୁ ଏହାର କାରଣ ପୁଲିସ ଜାଣିପାରୁନଥିବା ବେଳେ ଏବେ ଏହି ହତ୍ୟା ପଛରେ ୨ଜଣ ମହିଳାଙ୍କ ହାତ ଥିବା ଜଣାପଡ଼ିଛି। ୨ଜଣ ମହିଳା ପରିବାରର ସଦସ୍ୟ ବୋଲି ଜଣାପଡ଼ିଛି। ଜଣେ ଘରର ବୋହୂ ଓ ଆଉ ଜଣେ ଘରର ସମ୍ପର୍କୀୟ ବୋଲି ସାମ୍ନାକୁ ଆସିଛି। ଏବେ ଦୁହିଁଙ୍କୁ ଗିରଫ କରିଛି ପୁଲିସ। ଅଭିଯୁକ୍ତମାନେ ହେଲେ ସଙ୍ଘମିତ୍ରା କୁମ୍ଭାରେ ଓ ରୋଜା। ଦୁଇ ମହିଳା ମିଳିତ ଭାବେ ପରିବାର ଲୋକଙ୍କୁ ବିଷ ପିଇଆଇ ହତ୍ୟା କରିଥିବା ପୁଲିସ୍ ଜାଣିବାକୁ ପାଇଛି। ମୃତକଙ୍କ ମଧ୍ୟରେ ଗିରଫ ଦୁଇ ମହିଳାଙ୍କ ମଧ୍ୟରୁ ଜଣଙ୍କର ସ୍ୱାମୀ ମଧ୍ୟ ରହିଛନ୍ତି।
ସଙ୍ଘମିତ୍ରା ନିଜ ଶାଶୁ ଘର ଉପରେ ରାଗିଥିବା ବେଳେ ରୋଜା ନିଜ ନଣଦଙ୍କ ଉପରେ ସମ୍ପତ୍ତିକୁ ନେଇ ହେଉଥିବା ବିବାଦ ପାଇଁ ରାଗ ରଖିଥିଲେ। ଦୁହିଁଙ୍କ ଲକ୍ଷ ଗୋଟିଏ ଥିବାରୁ ବିଷ ଦେଇ ଦୁହେଁ ପରିବାରର ୫ଜଣଙ୍କୁ ହତ୍ୟା କରିଥିବା ଜଣାପଡ଼ିଛି। ଦୁଇ ମହିଳା ପରିବାର ଲୋକଙ୍କୁ ହଟାଇବା ପାଇଁ ଏମିତି ବିଷର ବ୍ୟବହାର କରିଥିଲେ ଯେ ଯାହାର ରଙ୍ଗ କିମ୍ବା ବାସ୍ନା ନଥିଲା। ତେଣୁ ସେମାନେ ଖାଦ୍ୟ ଠାରୁ ଆରମ୍ଭ କରି ପାଣିରେ ବିଷର ବ୍ୟବହାର କରିଥିଲେ ହେଁ କେହି ବି ଏକଥା ଜାଣି ପାରି ନଥିଲେ।
ସେପ୍ଟେମ୍ବର ୨୦ରେ ଶଙ୍କର କୁମ୍ଭାରେ ଏବଂ ତାଙ୍କ ପତ୍ନୀ ତଥା ରୋଜାଙ୍କ ନଣଦ ବିଜୟାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ସେମାନଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ କିଛି ଦିନ ଚିକିତ୍ସା ହେବା ପରେ ଦୁହିଁଙ୍କର ହୃଦଘାତ ହୋଇଥିଲା। ଭର୍ତ୍ତି ହେବାର ୬ଦିନ ପରେ ଅର୍ଥାତ୍ ସେପ୍ଟେମ୍ବର ୨୬ରେ ଦୁହେଁ ଶେଷ ନିଶ୍ବାସ ତ୍ୟାଗ କରିଥିଲେ। ଘରର ମୁୁରବୀଙ୍କୁ ହରାଇ ପରିବାର ଭାଙ୍ଗିପଡ଼ିଥିବା ବେଳେ ବିଜୟାଙ୍କ ୨ଝିଅ କୋମଲ ଓ ଆନନ୍ଦା ଏବଂ ପୁଅ ରୋଶନ(ସଙ୍ଘମିତ୍ରାଙ୍କ ସ୍ବାମୀ)ଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଥିଲା। ୩ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ୨ସପ୍ତାହ ପରେ ସେମାନଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଗୋଟିଏ ପରିବାରର ୫ଜଣଙ୍କ ମୃତ୍ୟୁ ସମାନ କାରଣ ପାଇଁ ହେବାରୁ ଡାକ୍ତରଙ୍କର ସନ୍ଦେହ ହୋଇଥିଲା। ଶରୀରରେ ସମାନ ବିଷ ଥିବା ଦେଖି ଡାକ୍ତର ପୁଲିସକୁ ଜଣାଇଥିଲେ। ଏହା ପରେ ତଦନ୍ତ ଆରମ୍ଭ ହୋଇଥିଲା।
Powered by Froala Editor