ଆଉ ଏକ ଇତିହାସ : ବିଶ୍ୱକପ୍ରେ ପାକିସ୍ତାନକୁ ଧୂଳି ଚଟାଇଲା ଭାରତ
ବିଶ୍ୱକପରେ ଧୂଳି ଚାଟିଛି ପାକିସ୍ତାନ। ଭାରତ ଓ ପାକିସ୍ତାନ ମଧ୍ୟରେ ୮ ଥର ମୁକାବିଲା ହୋଇଥିବାବେଳେ ଭାରତ ୮ଟି ଯାକ ମ୍ୟାଚରେ ବିଜୟ ହାସଲ କରିଛି । ବିଶ୍ୱର ସର୍ବବୃହତ୍ତ ଷ୍ଟାଡିୟମରେ ଭାରତୀୟ ବୋଲରଙ୍କ ପରାକ୍ରମ ପରେ ଅଧିନାୟକ ରୋହିତ ଶର୍ମାଙ୍କ ବିସ୍ଫୋରଣ ଦେଖିବାକୁ ମିଳିଛି।
ଏହି ମ୍ୟାଚରେ ପାକିସ୍ତାନ ଭାରତ ଆଗରେ ୧୯୨ ରନର ଲକ୍ଷ୍ୟ ରଖିଥିଲା । ଏହି ଲକ୍ଷ୍ୟକୁ ଭାରତ ୩୦.୩ ତମ ଓଭରରେ ୩ଟି ଓ୍ବିକେଟ ହରାଇ ହାସଲ କରି ନେଇଥିଲା । ଭାରତର ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅଧିନାୟକ ରୋହିତ ଶର୍ମା । ସେ ୬୩ଟି ବଲରୁ ୬ ଛକା, ୬ ଚୌକା ସହ ୮୬ ରନ କରିଥିଲେ । ତାଙ୍କର ବିଦାୟ ପରେ ଶ୍ରେୟସ ଆୟର ଅପରାଜିତ ଅର୍ଦ୍ଧଶତକ (୫୩ ରନ) ହାସଲ କରି ଦଳ ପାଇଁ ବିଜୟ ଆଣିଦେଇଥିଲେ ।
ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପାକିସ୍ତାନର ଆଗଧାଡ଼ିର ୪ ଜଣ ବ୍ୟାଟ୍ସମ୍ୟାନ ଭଲ ବ୍ୟାଟିଂ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ବିଶେଷକରି ବାବର ଆଜମ୍ ଓ ମହମ୍ମଦ ରିଜଓ୍ବାନ ଲଢୁଆ ବ୍ୟାଟିଂ କରିଥିଲେ । ବାବର ୫୦ ରନ କରିଥିବା ବେଳେ ରିଜଓ୍ବାନ ୪୯ ରନ କରିଥିଲେ । କିନ୍ତୁ ଏହି ଦୁଇ ବ୍ୟାଟ୍ସମ୍ୟାନ ଆଉଟ ହେବା ପରେ ସ୍ଥିତି ବଦଳିଯାଇଥିଲା । ଭାରତୀୟ ବୋଲରମାନେ ଘାତକ ବୋଲିଂ ଫଳରେ ପାକିସ୍ତାନ ୧୯୧ରନରେ ଅଲଆଉଟ ହୋଇଯାଇଥିଲା ।
Powered by Froala Editor